ଯୁବତୀଙ୍କ ସୌନ୍ଦର୍ଯ୍ୟ କଥା ଉଠିଲେ ଇଷ୍ଟରୁ ୱେଷ୍ଟ ପର୍ଯ୍ୟନ୍ତ ଅନେକ ସୌନ୍ଦର୍ଯ୍ୟ ନୀତି ସେମାନଙ୍କ ପାଇଁ ସ୍ଥିର ହୋଇଥିବା ପରି ଦେଖାଯାଏ | ମହିଳାଙ୍କ ଶରୀରକୁ ନେଇ ଅନେକ ଟିପ୍ପଣୀ ଦିଆଯାଏ | କେଉଁଠି ଯୁବତୀ ଗୋରା ହୋଇଥିଲେ ତାର ଗଢ଼ଣ ସୁନ୍ଦର ନାହିଁତ କେଉଁଠି ଝିଅର ରଙ୍ଗ ଆଉ ଟିକେ ସଫା ହୋଇଥିଲେ ଭଲ ହୋଇଥାନ୍ତା ବୋଲି କୁହାଯାଇଥାଏ | ତାଙ୍କର ରଙ୍ଗଠୁ ନେଇ କେଶ ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟର ମାନ ନିର୍ଧାରଣ କରାଯାଏ | ଅବଶ୍ୟ ଆଜିର ଆଧୁନିକ ଯୁଗରେ, କେବଳ ଏହି ଚିନ୍ତାଧାରାରେ ପରିବର୍ତ୍ତନ ଆସି ନାହିଁ, ବରଂ ଝିଅମାନେ ମଧ୍ୟ ସୌନ୍ଦର୍ଯ୍ୟର ସ୍ଥିର ମାନଦଣ୍ଡକୁ ଭାଙ୍ଗୁଥିବା ଦେଖିବାକୁ ମିଳୁଛି | ସୌନ୍ଦର୍ଯ୍ୟ ମାନକକୁ ଚ୍ୟାଲେଞ୍ଜ କରୁଥିବା ଏହିପରି ଜଣେ ଝିଅ ହେଲେ ହରନାମ କୌର | ହରନାମଙ୍କ ମୁହଁରେ ରହିଛି ପୁରୁଷଙ୍କ ପରି ଦାଢ଼ି | ଶରୀରର ଅବାଞ୍ଛିତ କେଶ ହେତୁ ପୂର୍ବରୁ ତାଙ୍କୁ ବହୁତ ଲଜ୍ଜାର ସମ୍ମୁଖୀନ ହେବାକୁ ପଡିଥିଲା | କିନ୍ତୁ ଯୁବତୀ ଜଣକ ଆଜି ଲଜ୍ଜିତ ହେବା ପରିବର୍ତ୍ତେ ଦୁନିଆ ପାଇଁ ସାଜିଛନ୍ତି ଏକ ଉଦାହରଣ | ଅନ୍ୟ ଯୁବତୀମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା |
ହରନାମଙ୍କୁ ଏବେ ୩୧ ବର୍ଷ | ହରନାମ ସୋସିଆଲ ମିଡିଆରେ ବଡ ଫ୍ୟାନ ଫଲୋଇଙ୍ଗ ହାସଲ କରିବା ଠାରୁ ଆରମ୍ଭ କରି ଇନ୍ସପେରସନ ସ୍ପିକର ହେବା ପର୍ଯ୍ୟନ୍ତ ନିଜକୁ କରିପାରିଛନ୍ତି ପ୍ରତିଷ୍ଠିତ | ଏପରିକି ଜଣେ ପ୍ରତିଷ୍ଠିତ ମହିଳା ଭାବେ ମାଗାଜିନର କଭର ପୃଷ୍ଠାରେ ମଧ୍ୟ ବାହାରିଛି ତାଙ୍କ ଫଟୋ | ଯଦି ଜଣଙ୍କର ଇଚ୍ଛାଶକ୍ତି ଦୃଢ ଥାଏ ତେବେ ସେ ଦୁନିଆର ଯେ କୌଣସି କାର୍ଯ୍ୟରେ ସଫଳତା ହାସଲ କରିପାରିବ ବୋଲି କହିଛନ୍ତି ହରନାମ |
ହରନାମ କୁହନ୍ତି ଯେତେବେଳେ ତାଙ୍କୁ ମାତ୍ର ୧୧ ବର୍ଷ ହୋଇଥିଲା, ତାଙ୍କ ମେଡିକାଲ ରିପୋର୍ଟରୁ ଜଣାପଡିଲା ଯେ ସେ PCOS ରୋଗରେ ପୀଡି଼ତ | ଏହା ସହିତ ତାଙ୍କ ଶରୀରରେ ବିଭିନ୍ନ ପରିବର୍ତ୍ତନ ଦେଖାଯିବା ଆରମ୍ଭ କଲା | ପ୍ରଥମେ ତାଙ୍କ ମୁହଁରେ କେଶ ଆସିବାକୁ ଲାଗିଲା ଏବଂ ପରେ ଛାତି, ପିଠିରେ କେଶ ଉଠିବାକୁ ଲାଗିଲା | ଏହି କାରଣରୁ ତାଙ୍କୁ କେବଳ ବିଦ୍ୟାଳୟରେ ନୁହେଁ ବରଂ ରାସ୍ତାରେ ମଧ୍ୟ ଲୋକଙ୍କ ଅପମାନ ସହିବାକୁ ପଡିଲା। ଏହି କାରଣରୁ ସେ ଡିପ୍ରେସନକୁ ମଧ୍ୟ ଚାଲି ଯାଇଥିଲେ | ଲଜ୍ଜାଜନକ କାରଣରୁ ସେ ଘରୁ ବାହାରକୁ ଯିବା ମଧ୍ୟ ବନ୍ଦ କରିଦେଇଥିଲେ | ଆତ୍ମହତ୍ୟା କରିବା ପାଇଁ ମଧ୍ୟ ଅନେକ ଥର ଭାବିଥିଲେ |
ପୁରୁଷମାନଙ୍କ ପରି ଉଠୁଥିବା କେଶ ଲୁଚାଇବା ପାଇଁ ହରନାମ ବିଉଟି ପାର୍ଲର ଯାଇ ୱ|କ୍ସିଙ୍ଗ ଠାରୁ ଆରମ୍ଭ କରି ବ୍ଲିଚିଂ ମଧ୍ୟ କରୁଥିଲେ | କିନ୍ତୁ ଏଥିରେ କିଛି ଫାଇଦା ହେଲାନି | ଗୋଟେ ସପ୍ତାହ ପରେ ପୁଣି ଚୁଟି ଉଠିବାକୁ ଲାଗିଲା | ହରନାମ ଧୀରେ ଧୀରେ ସେ ନିଜ ଭିତରେ ସୃଷ୍ଟି ହୋଇଥିବା ହୀନତାର ଭାବନାକୁ ଦୂର କରି ନିଜକୁ ଗ୍ରହଣ କରିବାକୁ ଚେଷ୍ଟା କଲେ | ସେ ଦାଢିକୁ ଲୁଚାଇବା ପରିବର୍ତ୍ତେ, ଏହାକୁ ବଢିବାକୁ ଦେଲେ | ସେହିଭଳି ଆତ୍ମବିଶ୍ୱାସର ସହ ସମସ୍ତଙ୍କ ସାମ୍ନାକୁ ଯିବାକୁ ଲାଗିଲେ | ସମସ୍ତେ ଥଟ୍ଟା ମଜା କରୁଥିଲେ ମଧ୍ୟ ସେ ନିଜକୁ ଲଜ୍ଜିତ ଅନୁଭବ କଲେନି |
ସେ ଜଣେ ଶିଖ ଯୁବତୀ ହୋଇଥିବାରୁ ଶିଖ ଯୁବକଙ୍କ ପରି ମୁହଁରେ ଦାଢ଼ି ରଖିଲେ | ମୁହଁରେ ପୁର୍ଣ ଭାବେ ଦାଢ଼ି ରଖିବାରେ ହରନାମ ହେଉଛନ୍ତି ପ୍ରଥମ ମହିଳା | ଏବଂ ଏଥିପାଇଁ ତାଙ୍କ ନାମ ଗିନିଜ୍ ବୁକ୍ ଅଫ ରେକର୍ଡରେ ସ୍ଥାନିତ କରାଯାଇଛି | ଏହା ପରେ, ଭାରତୀୟ ମୂଳ ବାସିନ୍ଦା ଏହି ବ୍ରିଟିଶ୍ ଝିଅ ମଡେଲିଂ ଦୁନିଆରେ ପ୍ରବେଶ କରିବା ଠାରୁ, ଶରୀରର ସକାରାତ୍ମକତା ବିଷୟରେ ଇନ୍ସପେରସନ ସ୍ପିକର ପାଲଟି ଯାଇଥିଲେ | ସେ ଅନେକ ମଡେଲିଂ ପ୍ରୋଜେକ୍ଟରେ ମଧ୍ୟ କାମ କଲେ |ମଡେଲର ଭାବେ ଅନେକ ମାଗାଜିନର କଭର ପେଜରେ ବି ସ୍ଥାନ ପାଇଲେ |
ଗିନିଜ ବୁକ୍କୁ ଦେଇଥିବା ଏକ ସାକ୍ଷାତକାରରେ ହରନାମ ପ୍ରଶ୍ନ ଉଠାଇଛନ୍ତି ଯେ ଦାଢ଼ି କେବଳ ପୁରୁଷଙ୍କ ପାଇଁ କାହିଁକି ସାଧାରଣ ବୋଲି ବିବେଚନା କରାଯାଏ? କାହିଁକି କେବଳ ଝିଅମାନଙ୍କୁ ଶରୀରର ବିଭିର୍ନ ସୌନ୍ଦର୍ଯ୍ୟ ସମ୍ବନ୍ଧୀୟ ସମସ୍ତ ନିୟମ ଅନୁସରଣ କରିବାକୁ ପଡୁଛି ?