ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଏସପି ଏକ ବଡ଼ ଘୋଷଣା କରିଛି। ୟୁପି ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ବିଏସପି ସୁପ୍ରିମୋ ମାୟାବତୀ ନିଷ୍ପତ୍ତି ନେଇଛନ୍ତି। ମାୟାବତୀଙ୍କ ବ୍ୟତୀତ ବିଏସପିର ଜାତୀୟ ସାଧାରଣ ସମ୍ପାଦକ ସତୀଶ ଚନ୍ଦ୍ର ମିଶ୍ର ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି |
ବହୁଜନ ସମାଜ ପାର୍ଟି ନେତା ସତୀଶ ଚନ୍ଦ୍ର ମିଶ୍ର କହିଛନ୍ତି ଯେ, ବିଏସପି ସୁପ୍ରିମୋ ମାୟାବତୀ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବରଂ ନିର୍ଵାଚନ ଲଢେଇରେ ପ୍ରମୁଖ ଭୂମିକା ଗ୍ରହଣ କରିବେ | ଏଥିସହିତ ସେ କହିଛନ୍ତି ମୁଁ ମଧ୍ୟ ୟୁପି ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ। ଏପରିକି ମୋ ପତ୍ନୀ କଳ୍ପନା ମିଶ୍ର ଏବଂ ମୋ ପୁଅ କପିଲ ମିଶ୍ର ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ମାୟାବତୀଙ୍କ ଭଣଜା ଆକାଶ ଆନନ୍ଦ ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ତେବେ ଉତ୍ତରପ୍ରଦେଶରେ ବହୁଜନ ସମାଜ ପାର୍ଟି ସରକାର ଗଢିବ ବୋଲି ସେ ଦାବି କରିଛନ୍ତି |
ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ କିମ୍ବା ପରେ ବିଏସପିର କାହା ସହିତ କୌଣସି ମେଣ୍ଟ କରିବ ନାହିଁ। ୟୁପିର ବ୍ରାହ୍ମଣମାନେ ଆମ ସହିତ ଅଛନ୍ତି | ଜଣେ ବି ବ୍ରାହ୍ମଣ ବିଜେପିକୁ ଯାଇପାରିବେ ନାହିଁ | ବିଜେପି ସରକାରରେ ବ୍ରାହ୍ମଣ ସମ୍ପ୍ରଦାୟର 500 ରୁ ଅଧିକ ଲୋକଙ୍କୁ ହତ୍ୟା କରାଯାଇଛି । 100 ରୁ ଅଧିକ ବ୍ରାହ୍ମଣଙ୍କୁ ଏନକାଉଣ୍ଟର କରାଯାଇଛି | ବିଏସପି କିପରି ସେମାନଙ୍କ ସମ୍ମାନ ବୃଦ୍ଧି କରିଛି ତାହା ବ୍ରାହ୍ମଣ ସମ୍ପ୍ରଦାୟ ଦେଖି ସାରିଛି। ସମସ୍ତ ପଦବୀରେ ବ୍ରାହ୍ମଣମାନଙ୍କୁ ଅଗ୍ରାଧିକାର ଦିଆଯାଇଛି , ତାହା ବିଧାନ ସଭା ପରିସଦ 15 ଟି ସଦସ୍ୟ ହେଉ, କ୍ୟାବିନେଟ ମନ୍ତ୍ରୀ ପଦବୀ ହେଉ କିମ୍ବା ଚେୟାରମ୍ୟାନ୍ ଗଢିବା କିମ୍ବା ଉତ୍ତରପ୍ରଦେଶ 4,000 ରୁ ଅଧିକ ସରକାରୀ ଆଇନଜୀବୀ ସୃଷ୍ଟି କରିବା କଥା ସବୁଠାରେ ବ୍ରାହ୍ମଣମାନଙ୍କୁ ସମ୍ମାନ ଦିଆଯାଇଛି | ସତୀଶ ଚନ୍ଦ୍ର ମିଶ୍ର କହିଛନ୍ତି ଯେ ୟୁପିରେ ବ୍ରାହ୍ମଣମାନେ 12 % ନୁହଁନ୍ତି 16 ପ୍ରତିଶତ।