ଭୁବନେଶ୍ୱର(ଏନଏନଏସ୍): ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ । ଏନେଇ ଆଜି ପୂର୍ବାହ୍ନ ସାଢେ ୧୧ଟା ସମୟରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ତାରିଖ ଘୋଷଣା କରାଯାଇଛି । କଟକ ବୋର୍ଡ କାର୍ୟ୍ୟାଳୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ରମାଶିଷ ହାଜରା ଏହି ସୂଚନା ଦେଇଛନ୍ତି। ଆସନ୍ତା ୧୮ ତାରିଖ ଗୁରୁବାର ସକାଳ ୧୦ଟା ବେଳେ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ଉପସ୍ଥିତିରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ।
ଏନେଇ ଅଧିକ ସୂଚନା ଦେଇ ବୋର୍ଡର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି କହିଛନ୍ତି, ଦିନ ୧୨ଟା ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀମାନେମାଟ୍ରିକ୍ ପରୀକ୍ଷା ଫଳ ଜାଣିପାରିବେ। ଛାତ୍ରଛାତ୍ରୀମାନେମୋବାଇଲରେ ଏସଏମଏସ ସହ www.bseodisha.ac.in ବୋର୍ଡ ୱେବସାଇଟରେ ରେଜଲ୍ଟ ଜାଣିପାରିବେ। ଏହାସହିତ ନିଜର ମୋବାଇଲରୁ OR10 ଏବଂ ନିଜର ରୋଲ ନମ୍ବରକୁ ଟାଇପ କରି ୫୬୭୬୭୫୦କୁ ପଠାଇଲେ ପରୀକ୍ଷା ଫଳ ଜାଣିହେବ। ଏଥର ୫ ଲକ୍ଷ ୧୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଏନେଇ ପରୀକ୍ଷାଫଳକୁ ତ୍ରୁଟିଶୂନ୍ୟ କରିବା ଲାଗି ପ୍ରୟାସ କରାଯାଇଛି।