ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ଦୁଇ ବର୍ଷ ପରେ ଅଫଲାଇନ୍ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ଚଳିତ ବର୍ଷ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୦ଟାରେ ଶେଷ ହୋଇଛି | ପ୍ରଚଣ୍ଡ ଖରା ଯୋଗୁ ଏଥର ଦ୍ୱିତୀୟ ସିଟିଂରେ ପରୀକ୍ଷା ନ କରିବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ ।
କପି ରୋକିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପରୀକ୍ଷା ପ୍ରଶ୍ନ ପତ୍ର ଓ ଉତ୍ତର ଖାତା ରଖିବା ପାଇଁ ସାରା ରାଜ୍ୟରେ ୩୧୫ ଗୋଟି ନୋଡାଲ ସେଣ୍ଟର କରାଯାଇଛି । ପରୀକ୍ଷା କେନ୍ଦ୍ରରେ ମୋବାଇଲ୍କୁ କଡ଼ାକଡ଼ି ଭାବେ ବାରଣ କରାଯାଇଛି । ଛାତ୍ରଛାତ୍ରୀ, ପରୀକ୍ଷା ଦାୟିତ୍ୱରେ ଥିବା ଶିକ୍ଷକଶିକ୍ଷୟିତ୍ରୀ , ଏପରିକି କେନ୍ଦ୍ର ସୁପରିଟେଣ୍ଡେଣ୍ଟ ମଧ୍ୟ ପରୀକ୍ଷା ସମୟରେ ମୋବାଇଲ୍ ଫୋନ ବ୍ୟବହାର କରିପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସତ୍ୟନାରାୟଣ ହାଇସ୍କୁଲ, ଅଲଣାରେ ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ପ୍ରଥମେ ପିଲାମାନଙ୍କର ଥର୍ମାଲ ସ୍କାନିଙ୍ଗ୍ ଓ ହାତ ସାନିଟାଇଜ କରାଯିବା ସହିତ ମାସ୍କ ଚେକିଙ୍ଗ୍ ମଧ୍ୟ କରାଯାଇଥିଲା। କପି ରୋକିବା ପାଇଁ ବିଭିନ୍ନ ହଲ୍ ରେ ସିସିଟିଭି କ୍ୟାମେରା ଲଗାଯାଇଛି। ଦୁଇ ବର୍ଷ ପରେ ଛାତ୍ରଛାତ୍ରୀମାନେ ଅଫଲାଇନରେ ପରୀକ୍ଷା ଦେଉଥିବାରୁ ଛାତ୍ର ଛାତ୍ରୀ ମାନେ ବେଶ୍ ଖୁସି ଥିବା କହିଛନ୍ତି।
ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ୧୦୪ ପରୀକ୍ଷା କେନ୍ଦ୍ରରେ ୨୧,୬୨୫ ଜଣ ଛାତ୍ରଛାତ୍ରୀମାନେ ଦେଉଛନ୍ତି ପରୀକ୍ଷା । ଆଜି ଇଂରାଜୀ ବିଷୟର ପରୀକ୍ଷାରେ ଭଲ କରିଥିବା କହିଛନ୍ତି କେନ୍ଦ୍ରାପଡା ସରକାରୀ ହାଇସ୍କୁଲର କିଛି ଛାତ୍ରଛାତ୍ରୀ ।