ପଞ୍ଚଭୂତରେ ଲୀନ ହେଲା ସହୀଦଙ୍କ ପାର୍ଥିବ ଶରୀର । ସହୀଦଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡା ବ୍ଲକ କଦଳୀବରଡାଗାଁ ଶ୍ମଶାନରେ ହୋଇଛି ଶେଷକୃତ୍ୟ ସମ୍ପନ୍ନ। ଶ୍ମଶାନରେ ସହୀଦଙ୍କୁ ତୋପସଲାମୀ ଦେଇଛନ୍ତି ସାଥୀ ସୈନିକମାନେ । ଗ୍ରାମବାସୀଙ୍କ ଆଖିର ଲୁହର ଅଞ୍ଜୁଳୀ ଅଜାଡି ହୋଇପଡିଛି ସହୀଦଙ୍କର ମରଶରୀରରେ । ପରିବାରରେ ଶୋକର ଛାଇ ଖେଳିଯାଇଛି । ସହୀଦ ଅନ୍ତର୍ଯ୍ୟାମୀଙ୍କ ବିଧବା ପତ୍ନୀ ଓ ଦୁଇ ପୁଅଝିଅଙ୍କ ଆଖିର ଲୁହ ଓ ମନର କୋହରେ ଗଗନପବନ ସ୍ଥିର ହୋଇଯାଇଛି । ସହୀଦ ଅନ୍ତର୍ଯ୍ୟାମୀ ଅମର ରହେ, ଅମର ରହେ ନାରାରେ ପ୍ରକମ୍ପିତ ହୋଇଉଠିଥିଲା ଗଗନ ପବନ |
ଦେଶ ମାତୃକାର ସେବାରେ ନିୟୋଜିତ ଥିବା ସମୟରେ ଭାରତ ସୀମାର ଜାମ୍ମୁ କାଶ୍ମୀରର ଅନନ୍ତ ନାଗ୍ ଠାରେ ଗତ ୧୯ ତାରିଖରେ ଟଳିପଡିଥିଲେ ସହୀଦ ଜଓ୍ବାନ ଅନ୍ତର୍ଯ୍ୟାମୀ ମହାରଣା । ସାଥୀ ସୈନୀକମାନେ ଅନ୍ତର୍ଯ୍ୟାମୀଙ୍କୁ ନିକଟସ୍ଥ ସେନା ହସ୍ପିଟାଲକୁ ନେଇଯାଇଥିଲେ । ରାତି ୨ଟା ସମୟରେ ଅନ୍ତର୍ଯ୍ୟାମୀ ଭାରତ ମାତାର କୋଳ ଶୂନ୍ୟକରି ଆରପାରିକୁ ଚାଲି ଯାଇଥିଲେ । ଅନ୍ତର୍ଯ୍ୟାମୀଙ୍କ ସାନଭାଇ ଭାବଗ୍ରାହୀ ସେହି ନିକଟରେ ରହୁଥିଲେ । ଅନ୍ତର୍ଯ୍ୟାମୀଙ୍କ ଅସୁସ୍ଥ ଖବର ତାଙ୍କୁ ଦେଇଥିଲେ ସାଥୀ ସୈନୀକମାନେ । ଭାବଗ୍ରାହୀ ଡାକ୍ତରଖାନାରେ ପହଞ୍ଚିବା ପରେ ଭାଇ ଆଗରେ ଦେଶଭକ୍ତ ଭାଇଙ୍କ ଜୀବନ ଦୀପ ଲିଭିଯାଇଥିଲା । ଗତକାଲି ବିମାନ ଯୋଗେ ସହୀଦ୍ ଅନ୍ତର୍ଯ୍ୟାମୀଙ୍କ ମରଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲା | ପରେ ତାଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡା ବ୍ଲକ କଦଳୀବରଡାଗାଁକୁ ନିକଯାଇଥିଲା । ସହୀଦ ଅନ୍ତର୍ଯ୍ୟାମୀଙ୍କ ମରଶରୀରକୁ ଶେଷ ଦର୍ଶନ କରିଥିଲେ ଗ୍ରାମବାସୀ । ଅନ୍ତର୍ଯ୍ୟାମୀଙ୍କ ମରଶରୀରକୁ ଗାଁ ପରିକ୍ରମା କରାଇବା ପରେ ଗାଁ ଶ୍ମଶାନରେ ସମ୍ପନ୍ନ ହୋଇଥିଲା ଶେଷକୃତ୍ୟ ।