ପ୍ରବଳ ବର୍ଷା ହେତୁ ଫସଲ ହରାଇବା ଭୟରେ ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଅଙ୍ଗୁଲାଇ ପଞ୍ଚାୟତର ୬ ଟି ଗାଁର ଆତଙ୍କିତ ଚାଷୀଙ୍କ ଅନୁରୋଧ । ଲଗାଣ ବର୍ଷା ହେତୁ ହଜାର ହଜାର ଏକର ଜମି ବର୍ତ୍ତମାନ ଜଳମଗ୍ନ । ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଲେ ଗ୍ରାମବାସୀ । ସୂଚନା ଅନୁଯାୟୀ ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ହେତୁ ହଜାର ହଜାର ଏକର ସ୍ଥାୟୀ ଧାନ ଫସଲ ଏବେ ଜଳମଗ୍ନ ହୋଇ ରହିଛି। ମାର୍ଶାଘାଇ ବ୍ଲକର ଅଙ୍ଗୁଲାଇ ପଞ୍ଚାୟତର ବୀରସ୍ୱତୀ, ନିଳାଦ୍ରୀପୁର, ଚକ୍ରପୁର, ଜଗଦୀଶପୁର, ନାରାୟଣ ପୁର, ଜାଗୁଳାଉପଡାରେ ଏକର ଏକର ଜମିରେ ଫସଲ ଉଜୁଡିବା ପରିସ୍ଥିତି ଦେଖା ଦେଲାଣି । ସେପଟେ ନିଳାଦ୍ରୀପୁର ଗାଁର ସୁବାସ କର ନାମକ ଜଣେ ବ୍ୟକ୍ତି ନିଳାଦ୍ରୀପୁର ଗ୍ରାମର ଆର ଡି ରୋଡ ଦେଇ ଯାଇଥିବା ଡ୍ରେନେଜ କଲଭର୍ଟକୁ ବନ୍ଦ କରି ରଖିଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।ଯାହା ଦ୍ୱାରା ଚାଷ ଜମିରୁ ଅତିରିକ୍ତ ବର୍ଷା ଜଳ ନିଷ୍କାସନ ହୋଇପାରୁ ନାହିଁ । ତେଣୁ ଏଥିରେ ଗ୍ରାମବାସୀ କଲେକ୍ଟରଙ୍କର ହସ୍ତକ୍ଷେପ ଲୋଡିଛନ୍ତି । ଏପରି ବିପର୍ଯ୍ୟୟ ସମୟରେ ଶହ ଶହ ଗରିବ ଏବଂ ସୀମାବଦ୍ଧ କୃଷକଙ୍କ ଜୀବିକା ବର୍ତ୍ତମାନ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ତେଣୁ ଏଭଳି ଜଟିଳ ମୁହୂର୍ତ୍ତରେ ଗରିବ ଚାଷୀ ମାନଙ୍କ ଜୀବିକା ବଞ୍ଚାଇବା ପାଇଁ ଜରୁରୀ ଭିତ୍ତିରେ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ।
#marshaghai #NNSODIA