ପୁଣି ଦେଖିବାକୁ ମିଳିଛି ଲାଲ ବାହିନୀର ଲଙ୍କାକାଣ୍ଡ | ବହୁଦିନ ନୀରବତା ପରେ ଆଜି ପୁଣି ଆରମ୍ଭ କରିଛନ୍ତି ମାଓ ତାଣ୍ଡବ। ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶର କୋଥୁର ଗ୍ରାମ ନିକଟରେ ଯାତ୍ରୀବାହୀ ବସକୁ ଜାଳି ଦେଇଛନ୍ତି ମାଓବାଦୀ । ତେବେ ବସରେ ଥିବା ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି |
ଆଜି ଦଣ୍ଡକାରଣ୍ୟ ମାଓବାଦୀ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। ‘ମହାବାହୁ’ ନାମକ ଘରୋଇ ଯାତ୍ରୀବାହୀ ବସ ନବରଙ୍ଗପୁରର ଉମରକୋଟଠାରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା | ତେବେ ଆନ୍ଧ୍ରପ୍ରଦେଶର କୋଥୁର ଗାଁ ନିକଟସ୍ଥ ଜଙ୍ଗଲ ରାସ୍ତାରେ ପ୍ରାୟ ୨୦ ରୁ ୨୫ ମାଓବାଦୀ ଆସି ବସଟିକୁ ଅଟକାଇଥିଲେ । ସେମାନେ ଆଜି ଦଣ୍ଡକାରଣ୍ୟ ବନ୍ଦ ଡାକରା ଦିଆଯାଇଛି ବୋଲି ଜାଣିନ କି କହି ବସ କର୍ମଚାରୀମାନଙ୍କୁ ଧମକାଇଥିଲେ। ବସରେ ଥିବା ଯାତ୍ରୀମାନଙ୍କୁ ଓହ୍ଲାଇବାକୁ ମାଓବାଦୀମାନେ କହିଥିଲେ | ପରେ ବସରେ ନିଆଁ ଲଗାଇ ଦେଇଥିଲେ ମାଓବାଦୀ । ମୋଟ ୪୦ ପାସେଞ୍ଜର ଥିବା ପ୍ରତ୍ୟେକ୍ଷଦର୍ଶୀଙ୍କଠାରୁ ସୂଚନା ମିଳିଛି | ତେବେ ଯାତ୍ରୀମାନେ ତରତର ହୋଇ ଓହ୍ଲାଇଲା ବେଳେ ଦୁଇ ଜଣଙ୍କ ଶରୀରରେ ନିଆଁ ଲାଗି ଯାଇଥିବା ଜଣାପଡିଛି । ତେବେ ମାଓବାଦୀମାନେ ବସରେ ନିଆଁ ଲଗାଇ ସେଠାରୁ ଫେରାର ହୋଇଯାଇଥିଲେ | ଘଟଣାସ୍ଥଳରେ ମାଓବାଦୀ ପୋଷ୍ଟର ମଧ୍ୟ ମିଳିଛି । ମାଓବାଦୀମାନେ ଗତକାଲି ରାତି ପ୍ରାୟ ୧୧.୩୦ ରୁ ୧୨ ମଧ୍ୟରେ ଏଭଳି କାଣ୍ଡ ଘଟାଇଥିବା ସୂଚନା ମିଳିଛି | ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି |