ଲାଲଗଡ଼ ଭାବେ ପରିଚିତ ମାଲକାନଗିରି ଜିଲ୍ଲାରେ ଭୁଶୁଡୁଛି ମାଓ ଦୁର୍ଗ | ନକ୍ସଲ ପ୍ରବଣ ଅଞ୍ଚଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ପରେ ମାଓବାଦୀମାନଙ୍କ ମନ ପରିବର୍ତ୍ତନ ହେଉଛି। ଜଣକ ପରେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ପୋଲିସ ନିକଟରେ କରୁଛନ୍ତି ଆତ୍ମସମର୍ପଣ | ମାଲକାନଗିରି ଏସପି ଓ ବିଏସଏଫ ଡିଆଇଜିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି ବନ୍ତାଲା ରାଜୁ ଓରଫ ସାଗର ।
ବନ୍ତାଲା ରାଜୁ ୨୦୧୬ ମସିହାରୁ ପ୍ରତିବନ୍ଧିତ ମାଓବାଦୀ ସଂଗଠନରେ ସାମିଲ ହୋଇଥିଲେ। ସାଗର ପୂର୍ବ ବିଶାଖା ଡିଭିଜନରେ ପାର୍ଟି ସଦସ୍ୟ ଭାବେ କାର୍ଯ୍ୟରତ ଥିଲେ। ଏବେ ସେ କୋରୁକୋଣ୍ଡା – ପେଦାବାଇଲୁ ଏରିଆ କମିଟି ସଦସ୍ୟ ଥିଲା । ସାଗର ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ଭାବେ ସ୍ୱାଭିମାନ ଅଂଚଳରେ ବହୁ ହିଂସାକାଣ୍ଡ ଘଟାଇଥିଲା । ପୋଲିସ ପକ୍ଷରୁ ତାଙ୍କ ନାଁରେ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଓଡିଶା ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁଯାୟୀ ତାଙ୍କୁ ଥଇଥାନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମାଲକାନଗିରି ଏସପି ନିତେଶ ବାଧଓ୍ବାନୀ।
ମାଓ ସଂଗଠନ ଦ୍ଵାରା ବିଭିନ୍ନ ସମୟରେ ଅନ୍ୟ ମାଓବାଦୀଙ୍କ ଦ୍ବାରା ନିର୍ଯ୍ୟାତିତ ହେବା ପରେ ଏବଂ ସରକାରଙ୍କ ଆତ୍ମସମର୍ପଣ ନୀତି ଓ ସ୍ବାଭିମାନ ଅଞ୍ଚଳରେ ବିଭିନ୍ନ ବିକାଶ କାର୍ଯ୍ୟ ପ୍ରଭାବିତ ହୋଇ ସେ ସଂଗଠନ ଛାଡିବାକୁ ନିଷ୍ପତି ନେଇଥିବା କହିଛନ୍ତି ବନ୍ତାଲା ରାଜୁ | ଅନ୍ୟପକ୍ଷରେ ଯନ୍ତାପାଇ, ହନ୍ତାଳଗୁଡା, ଯୋଡାଆମ୍ବ, ଗୋରାସେତୁ, ଅଣ୍ଡ୍ରାହାଲ, ମୁଦୁଲିପଡା, ଘନବେଢା ଏବଂ ଯନ୍ତ୍ରୀ ଭଳି ନକ୍ସଲ ପ୍ରବଣ ଅଞ୍ଚଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ପରେ ଘନ ଘନ କୋମ୍ବିଂ ଅପରେସନ ଯୋଗୁ ସଙ୍ଗଠନ ଛାଡିବାକୁ ବାଧ୍ୟ ହେଉଛନ୍ତି ମାଓବାଦୀ | ପୋଲିସର ବାରମ୍ବାର ଚାପ ପ୍ରୟୋଗ ଯୋଗୁ ମାଓବାଦୀମାନେ ଆତ୍ମସମର୍ପଣ କରୁଥିବା କହିଛନ୍ତି ଏସପି ନିତେଶ ବାଧଓ୍ବାନୀ | ସାମ୍ବାଦିକ ସମ୍ମିଳନୀରେ ଏସପି ନିତେଶ ବାଧଓ୍ବାନୀଙ୍କ ସହ ବିଏସଏଫ ଡ଼ିଆଇଜି ଏସ.କେ ସିହ୍ନା ଉପସ୍ଥିତ ଥିଲେ ।