ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି କଂଗ୍ରେସ ଶିବିର ଖାଲି ହେବାରେ ଲାଗିଛି । ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିରିଡି ବ୍ଲକ ଅଂଚଳର ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ବିରିଡି ବ୍ଲକ ଅଣଖିଆ ଶିଶୁମନ୍ଦିର ପଡିଆଠାରେ ବିଜୁ ଜନତା ଦଳ ପକ୍ଷରୁ ଆଜି ଏହି ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ମିଶ୍ରଣ ପର୍ବରେ ବିରିଡି ବ୍ଲକର ବରିଷ୍ଠ ଯୁବ କଂଗ୍ରେସ ନେତା ସରପଞ୍ଚ, ସମିତି ସଭ୍ୟଙ୍କ ସହିତ ଶତାଧିକ କଂଗ୍ରେସ କର୍ମୀ କଂଗ୍ରେସ ଦଳ ଛାଡି ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡିର ମିଶ୍ରଣ ପର୍ବର ଶୁଭାରମ୍ଭ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିରିଡି ବ୍ଲକରୁ ଆରମ୍ଭ ହୋଇଛି। ଅଣଖିଆ ଶିଶୁମନ୍ଦିର ପାଖ ପଡ଼ିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ସାଂସଦ ଡ଼ଃ ରାଜଶ୍ରୀ ମଲିକ ପ୍ରମୁଖ ଯୋଗ ଦେଇଥିଲେ। ବିରିଡି ବ୍ଲକ କଂଗ୍ରେସ ଦଳର ଯୁବନେତା ଦେବୀ ପ୍ରସାଦ ତ୍ରିପାଠୀ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଥିଲେ। ବିରିଡି କଂଗ୍ରେସ କହିଲେ ଯୁବନେତା ତ୍ରିପାଠୀଙ୍କୁ ବୁଝାଉ ଥିଲା। ତାଙ୍କ ନେତୃତ୍ୱରେ ଦଳ ସେଠି ବେଶ ସୁସଙ୍ଗଠିତ ରହି ଆସୁଥିଲା। ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ନିଜର କରାମତି ଦେଖାଇ ବିରିଡି ବ୍ଲକ ଅଧକ୍ଷ ପଦକୁ କବଜା କରିଥିଲା। ତେବେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ସ୍ୱଚ୍ଛ ନିର୍ମଳ ନବୀନ ସରକାରଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ଯୁବନେତା ତ୍ରିପାଠୀ କଂଗ୍ରେସ ଦଳକୁ ଅଲବିଦା କରି ନିଜ କର୍ମୀମାନଙ୍କ ସହତ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।ତେବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଭନ୍ନ ଦଳରୁ ନେତା ଓ କର୍ମୀମାନେ ନବୀନ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଦଳକୁ ଆସୁଛନ୍ତି । ସେମାନଙ୍କୁ ଦଳପକ୍ଷରୁ ସ୍ୱାଗତ କରିବା ସହିତ ଆଗାମୀ ଦିନରେ ରାଜ୍ୟରେ ଗୋଟିଏ ଦଳ କାର୍ଯ୍ୟ କରିବ। ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ପ୍ରତି ଅନ୍ୟ ଦଳର ନେତାକର୍ମୀ ମାନେ ଆଗ୍ରହର ସହିତ ଦଳକୁ ଆସୁଥିବାରୁ ଡ଼ଙ୍ଗା ବୁଡିବା ଆଶଙ୍କା ଦେଖା ଦେଇଛି। ତେବେ ମହିଁସି ସିଙ୍ଘ ଫଟା ଯୁଝିଲା ବେଳକୁ ଗୋଟା ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।ଜଗତସିଂହପୁର ଜିଲ୍ଲାରେ ପଞ୍ଚାୟତ ନିର୍ବାଚନକୁ ନେଇ ଦଳ ପକ୍ଷରୁ ଜୋରଦାର ଅଭିଯାନ ଆରମ୍ଭ କରାଯାଇଛି।ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ କେତେ ଫାଇଦା ଉଠାଉଛି ଦେଖିବାକୁ ବାକି ରହିଲା ।