ବିଷିଷ୍ଟ ସାହିତ୍ୟିକା ତଥା ସାରସ୍ୱତ ସାଧିକା ମନୋରମା ମହାପାତ୍ର ଆଉ ଆମ ଗହଣରେ ନାହାନ୍ତି । ଦୈନିକ ସମାଜର ପୂର୍ବତନ ସଂପାଦିକା ମନୋରମାଙ୍କୁ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡିକାଲ ଅଣାଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଆଜି ପରଲୋକ ଘଟିଛି । ୮୭ ବର୍ଷ ବୟସରେ ଇହଲୀଳା ସମ୍ବରଣ କରି ମାନବ ଲୀଳାରୁ ନିଜକୁ ମୁକ୍ତ କରିଦେଇଛନ୍ତି ସେ । କିନ୍ତୁ ତାଙ୍କ ଲେଖନୀ ମୁନରୁ ସୃଷ୍ଟି ହୋଇଥିବା ପତ୍ୟେକଟି କବିତା, ଗଳ୍ପ, ଉପନ୍ୟାସ ମାଧ୍ୟମରେ ସେ ସର୍ବଦା ଆମମାନଙ୍କ ଗହଣରେ ଚିର ସ୍ମରଣୀୟ ହୋଇ ରହିବେ ।
ମନୋରମା ବିଶ୍ୱାଳ ମହାପାତ୍ର ଏକାଧାରରେ ଜଣେ କବୟିତ୍ରୀ, ଲେଖିକା,ଶିଶୁ ସାହିତ୍ୟିକା, ସ୍ତମ୍ଭକାର, ସାମ୍ବାଦିକା ଓ ଅବସରପ୍ରାପ୍ତ ଅଧ୍ୟାପିକା ଥିଲେ ଏବଂ ଓଡ଼ିଆ ସାହିତ୍ୟରେ ସେ ନାରୀ ଓ ନାରୀପଣକୁ କେନ୍ଦ୍ର କରି ଗଢ଼ିଉଠିଥିବା ଅନେକ ସାହିତ୍ୟ ରଚନା କରିଛନ୍ତି ।
ସେ ଥିଲେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ସମାଜର ପୂର୍ବତନ ସଂପାଦକ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କ ଝିଅ । ୧୯୩୪ ମସିହା ଜୁନ୍ ୧୦ ତାରିଖରେ କଟକ ଜିଲ୍ଲାର ଆଠଗଡ଼, ରାଧାନାଥପୁର ଶାସନରେ ଜନ୍ମଗ୍ରହଣ କରିଥିଲେ । ରାଧାନାଥ ରଥ ଓ ଧର୍ମପ୍ରାଣା ସାବିତ୍ରୀ ଦେବୀଙ୍କର ସେ ଥିଲେ ଚତୁର୍ଥ ସନ୍ତାନ ତଥା ସ୍ୱର୍ଗତ ପଦାରବିନ୍ଦ ମହାପାତ୍ରଙ୍କର ଧର୍ମପତ୍ନୀ ।
ପିଲାଟି ବେଳୁ ହିଁ ତାଙ୍କର ସାହିତ୍ୟ ପ୍ରତି ଅନେକ ଆଗ୍ରହ ଥିଲା । ନବମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ତାଙ୍କର ପ୍ରଥମ କବିତା ସଂକଳନ ‘କିଶଳୟ ‘ ପ୍ରକାଶ ପାଇଥିଲା ।
ପ୍ରାଥମିକ ଶିକ୍ଷା ଶେଷ ପରେ ଶ୍ରୀମତୀ ମନୋରମା ମହାପାତ୍ର ରେଭେନ୍ସା ଗାର୍ଲ ହାଇସ୍କୁଲରୁ ମାଟ୍ରିକ୍ ପାସ୍ କରି ଉଚ୍ଚ ଶିକ୍ଷା କଲେଜରେ ନାମ ଲେଖାଇଥିଲେ ଏବଂ ଉତ୍କଳ ବିଶ୍ବବିଦ୍ୟାଳୟରୁ ସର୍ବୋଚ୍ଚ ନମ୍ବର ରଖ୍ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲେ ।
ଏହା ପରେ ୧୯୭୦ ମସିହାରେ ସେ ଅର୍ଥନୀତିରେ ସ୍ନାତକୋତ୍ତର ସହ ଓଡ଼ିଶା ଶିକ୍ଷା ବିଭାଗରେ ଅର୍ଥନୀତି ପ୍ରାଧ୍ୟାପିକା ଭାବରେ ଦୀର୍ଘ ୧୫ବର୍ଷ ଶିକ୍ଷାଦାନ କରିଥିଲେ । କିନ୍ତୁ ପରେ ତାଙ୍କର ସମାଜ ସେବା ପ୍ରତି ଆଗ୍ରହ ବଢିଥିଲା । ଯେଉଁଥିପାଇଁ ସେ ୧୯୮୫ ମସିହାରେ ସରକାରୀ ଚାକିରିରୁ ଅବସର ନେଇ ସାମ୍ବାଦିକତା ଓ ସାହିତ୍ୟ ସେବାରେ ନିଜକୁ ସମ୍ପୂର୍ଣ୍ଣ ନିୟୋଜିତ କରିଥିଲେ । ତାଙ୍କର ପତ୍ୟେକଟି ଲେଖା ସାହିତ୍ୟ ଜଗତ ପାଇଁ ଯେପରି ଗୋଟେ ଗୋଟେ ଅମୂଲ୍ୟ ଭେଟି ଥିଲା । ଓଡ଼ିଆ, ସଂସ୍କୃତ, ହିନ୍ଦୀ, ଇଂରାଜୀ, ବଙ୍ଗଳା ଭାଷାରେ ପାରଙ୍ଗମ ଶ୍ରୀମତୀ ମନୋରମା ମହାପାତ୍ରଙ୍କର କବିତା ସାମ୍ରାଜ୍ୟକୁ ପ୍ରଥମ ଭେଟି ‘ଜୁଆର ଯେଉଁଠି ଉଠେ’, ଯେଉଁଥିରେ କି ନାରୀ ଜୀବନର ଗଭୀର ଅନାବିଳ ଭାବ, ଦୁଃଖ, ସୁଖର ପ୍ରକୃତ ଚିତ୍ର ଭାସିଉଠେ; ସେହିପରି ‘ବୈଦେହୀ ବିସର୍ଜିତା’ ଓ ‘ରୂପମ୍ ରୂପମ୍ ପ୍ରତିରୂପମ୍’ ପ୍ରକାଶିତ ହୋଇ ଖୁବ୍ ପ୍ରସିଦ୍ଧି ଲାଭ କରିଅଛି । ଆହୁରି ମଧ୍ୟ ତାଙ୍କ ରଚିତ ‘ସମୟ ପୁରୁଷ’ (୨୦୦୮), ‘ସ୍ମୃତି ଚନ୍ଦନ’, ‘ମଧୁବାତା ଋତାୟତେ’ (୧୯୯୦), ‘ବନ୍ଦ ଘରକେ କିବାଡ଼’ (ହିନ୍ଦୀ) ଇତ୍ୟାଦି ପାଠକ ମହଲରେ ବେଶ୍ ଆଦୃତି ଲାଭ କରିଛି ।
ଯେଉଁଥି ପାଇଁ ୧୯୮୪ ମସିହାରେ ସେ ସାହିତ୍ୟ ଏକାଡେମୀ ଆଓ୍ୱାର୍ଡ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ପରେ ୧୯୯୧ ମସିହାରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ଅଧ୍ୟକ୍ଷା ଭାବେ ଯୋଗ ଦେଇଥିଲେ। ତାଙ୍କ ପରଲୋକରେ ସାହିତ୍ୟ ଜଗତରେ ଏକ ଯୁଗର ଅବସାନ ଘଟିଛି । ତାଙ୍କ ପରଲୋକରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଗଣେଶୀ ଲାଲଙ୍କ ସମେତ ବହୁମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରି ଓଡିଶା ଜଣେ ବାଗ୍ମୀ ତଥା ମହିୟସୀ ମହିଳାଙ୍କୁ ହରାଇଲା ଏବଂ ଏହା ଓଡ଼ିଶାର ସାଂସ୍କୃତିକ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି କହିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।