ବହୁ କଳ୍ପନା ଜଳ୍ପନାର ଘଟିଲା ଅନ୍ତ । ବିଏମସି ପାଇଁ ଡେପୁଟି ମେୟର ପ୍ରାର୍ଥୀ ନାଁ ଘୋଷଣା କରିଛି ବିଜେଡି । ୨୨ ନମ୍ବର ୱାର୍ଡର କର୍ପୋରେଟର ମଞ୍ଜୁଲତା କହଁର ହୋଇଛନ୍ତି ବିଜେଡିର ଡେପୁଟି ମେୟର ପ୍ରାର୍ଥୀ । ତେବେ ଏହି ପଦବୀ ପାଇଁ ଅନେକ ଆଶାୟୀ ଥିବା ବେଳେ ଦଳ ମୁଖିଆ ଡେପୁଟି ମେୟର ପ୍ରାର୍ଥୀ ଭାବେ ମଞ୍ଜୁଲତାଙ୍କ ଉପରେ କରିଛନ୍ତି ଭରସା | ପ୍ରଥମ ଥର ପାଇଁ କର୍ପୋରେଟର ହୋଇଛନ୍ତି ମଞ୍ଜୁଲତା | ତେବେ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମଏ ପାସ୍ କରିଛନ୍ତି ।
ଡେପୁଟି ମେୟର ପାଇଁ ଦିନ ୧୧ଟାରୁ ୧୨ଟା ଯାଏଁ ନାମାଙ୍କନ ପତ୍ର ଯାଞ୍ଚ ହେବ। ଦିନ ଗୋଟାଏ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର ହେବ। ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କଲେ ଦିନ ସାଢେ ଗୋଟାଏରୁ ସାଢେ ୩ଟା ଯାଏ ଭୋଟ ଗ୍ରହଣ ହେବ ବୋଲି ଜଣାଯାଇଛି।
ଭୁବନେଶ୍ୱରରେ ମୋଟ ୬୭ କର୍ପୋରେଟର ଆସନରୁ ବିଜେଡି ଖାତାକୁ ୪୮ ଆସନ ଆସିଛି । ବିଜେପିକୁ ୧୦ଟି ଆସନ ମିଳିଥିବାବେଳେ ସ୍ୱାଧୀନଙ୍କୁ ମିଳିଛି ୯ଟି ଆସନ । ତେବେ ସ୍ୱାଧୀନଙ୍କ ଭିତରୁ ଏକାଧିକ ବିଜୟୀ ପ୍ରାର୍ଥୀ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡି ୪୮ ଆସନ ଅକ୍ତିଆର କରିଥିବାରୁ ଡେପୁଟି ମେୟର ବିଜେଡିର ମଞ୍ଜୁଲତା କହଁର ହେବା ନିଶ୍ଚିତ ବୋଲି ଜଣାଯାଇଛି ।
ଅନ୍ୟପଟେ ଭୁବନେଶ୍ୱର ମହାନଗର ନିଗମ ବା ବିଏମସିର ମେୟର ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ନବନିର୍ବାଚିତ ସୁଲୋଚନା ଦାସ । ବିଏମସି କନଫରେନ୍ସ ହଲରେ ସୁଲୋଚନା ଦାସ ଆଜି ଶପଥ ଗ୍ରହଣ କରିଛନ୍ତି । ପୌର ପ୍ରଶାସକ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହା ସହ ୬୭ ଜଣ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି ।