ସ୍ବାମୀ ସ୍ତ୍ରୀର ପବିତ୍ର ସମ୍ପର୍କରେ କଳଙ୍କର ଛିଟା। ଶ୍ୱଶୁର ଘରେ ଜ୍ବାଇଁର ତଣ୍ଟି କାଟି ଦେଲେ ଶାଶୁ ଶ୍ୱଶୁର | ସ୍ତ୍ରୀ ସାମ୍ନାରେ ଝିଅର ବାପା ମା ଏକ ଧାରୁଆ ଅସ୍ତ୍ରରେ ଜ୍ୱାଇଁଙ୍କୁ କରିଥିଲେ ଆକ୍ରମଣ | ଏପରି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ମଠସାହି ଗ୍ରାମରେ। ସ୍ଥାନୀୟ ଲୋକେ ଜ୍ୱାଇଁଙ୍କୁ ହସପିଟାଲରେ ଭର୍ତି କରିଛନ୍ତି | ତାଙ୍କ ତଣ୍ଟିରେ ୧୮ଟି ଷ୍ଟିଚ ପଡିଛି | ସ୍ବାସ୍ଥ୍ୟାବସ୍ଥା ଉଦବେଗଜନକ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି |
ପୋଲିସ ସୂଚନା ଅନୁଯାୟୀ, ଏରସମା ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ଗାଁର ନୟନା ବେହେରାଙ୍କ ପୁଅ ବିଶିକେଶନ ବେହେରା ପଦ୍ମପୁର ପଞ୍ଚାୟତର ଜଗା କାଣ୍ଡିଙ୍କ ଝିଅ ମିନୁ କାଣ୍ଡିଙ୍କୁ ବିବାହ କରିଥିଲେ। ବିବାହର ବର୍ଷକ ମଧ୍ୟରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ଦେଖା ଦେଇଥିଲା | ଫଳରେ ପତ୍ନୀ ମିନୁ କାଣ୍ଡି ନିଜ ବାପ ଘରେ ରହି ଆସୁଛନ୍ତି। ଉଭୟଙ୍କ ମଧ୍ୟରେ ବିବାଦ ରହିଥିଲେ ମଧ୍ୟ ବିଶିକେଶନ ଶ୍ବଶୁର ଘରକୁ ରିତିମତ ଯିବା ଆସିବା କରୁଥିଲେ। ଗତ ରବିବାର ରାତିରେ ଜ୍ବାଇଁ ବିଶିକେଶନ ପଦ୍ମପୁର ଶ୍ୱଶୁର ଘରକୁ ଯାଇଥିଲେ। ସେଠାରେ କୌଣସି ଘଟଣାକୁ ନେଇ ଶ୍ବଶୁର, ଶାଶୁ ଓ ଜ୍ବାଇଁ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ଘଟଣାକୁ ନେଇ ଶ୍ବଶୁର, ଶାଶୁ ଓ ପରିବାର ଲୋକେ ଜ୍ବାଇଁ ବିଶିକେଶନକୁ ମାଡ ମାରିବା ସହ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ଦେଇଥିଲେ। ସ୍ଥାନୀୟ ଲୋକେ ବିଶିକେଶନଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଏରସମା ମେଡିକାଲରେ ଭର୍ତି କରିଥିଲେ। ବିଶିକେଶନଙ୍କ ସ୍ବାସ୍ଥ୍ୟ।ବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି | ବିଶିକେଶନ ବେହେରାଙ୍କ ମା ନୟନା ବେହେରା ଏରସମା ଥାନାରେ ଅଭିଯୋଗ କରିଛନ୍ତି। ଏରସମା ପୋଲିସ ଆଜି ଶାଶୁ ନିରୂପମା କାଣ୍ଡି ଓ ପତ୍ନୀ ମୀନୁ କାଣ୍ଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।