ଗାଁଠୁ ସହର ସବୁଆଡେ ମମିତା ତାତି । ବିଧାନସଭାରୁ ବିମାନ ଘାଟି ସବୁଠିଁ ମମିତା ଗଣଦୁଷ୍କର୍ମ ଝଡ଼ । ଆଜି ବିଧାନସଭା ଭିତରେ ବିରୋଧୀ କଂଗ୍ରେସ ଓ ବିଜେପିର ପ୍ରବଳ ହଟ୍ଟଗୋଳ ଯୋଗୁ ସଭାକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏହାପରେ ବିଜେପି ଏକ ଶୋଭାଯାତ୍ରା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି ଡାକ ବାକ୍ସରେ ପକାଇଥିଲେ । ମମିତା ପ୍ରସଙ୍ଗରେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଚିଠି ଲେଖିଛନ୍ତି ବିଧାୟକ ଦଳ । ଏଥିରେ କହିଲେ କି ଜାନକୀ ପଟ୍ଟନାୟକଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି ଅଞ୍ଜନା ଦୁଷ୍କର୍ମର ପ୍ରତିରୋଧ ପାଇଁ ନବୀନ ବାବୁ ନିଜେ ମଙ୍ଗ ଧରି ଜାନକୀ ହଟାଅ ଓଡ଼ିଶା ବଞ୍ଚାଅ ନାରା ଦେଇ ୨୦୦୦ ମସିହାରେ ଶାସନ କ୍ଷମତାକୁ ଆସିଥିଲେ । ସେତେବେଳେ ସିଏ କେନ୍ଦ୍ର ମନ୍ତ୍ରୀ ଥିଲେ । ଏବେ ସେହି ଦୁଷ୍କର୍ମ ପାଇଁ ଚୁପ୍ କାହିଁକି ? ଏଥିରେ ନିଜେ ଅଞ୍ଜନା ମିଶ୍ର ମଧ୍ୟ ମୁହଁ ଖୋଲିଛନ୍ତି । ସେ ପ୍ରଶ୍ନ କରିଛନ୍ତି ଜାନକୀ ବାବୁଙ୍କ ଶାସନ ଆଉ ନବୀନ ବାବୁଙ୍କ ଶାସନ ଭିତରେ ଫରକ୍ କଣ ? ସେତେବେଳେ ଗଣ ଦୁଷ୍କର୍ମ ହେଉଥିଲା ଏବେବି ହେଉଛି । ଏଇମିତି ୫ ଦିନ ହେଲାଣି ବିଧାନସଭା ଚାଲୁନାହି କି ନବୀନ ବାବୁ ବିଧାନସଭା ଆସୁନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି । ବିଧାନସଭା ଅଚଳ ପ୍ରସଂଗରେ ପ୍ରତିକ୍ରିୟା ରଖିଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବିଧାନସଭା ଚଳାଇବାରେ ବିଜେପି ସଦସ୍ୟ ସହଯୋଗ କରୁନଥିବା ସେ ଅଭିଯୋଗ କରିଛନ୍ତି । ନାଟକବାଜି ଛାଡ଼ି ଗୃହକାର୍ଯ୍ୟରେ ଯୋଗଦେବାକୁ ବିରୋଧୀ ଦଳଙ୍କୁ ନିବେଦନ କରିଛନ୍ତି ପ୍ରମିଳା ।