ମମିତା ମେହେର ହତ୍ୟା ପ୍ରସଙ୍ଗ, ସରଗରମ ହେଉଛି ରାଜ୍ୟ ରାଜନୀତି | କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍ଥିତ ସନ୍ସାଇନ୍ ପବ୍ଲିକ୍ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି । ରାଜନୀତି ପାଇଁ ସବୁ ଦଳ ପରସ୍ପର ପରସ୍ପର ଉପରକୁ କାଦୁଅ ଫିଙ୍ଗିବାରେ ଲାଗି ପଡ଼ିଛନ୍ତି । ପୀଡିତାଙ୍କ ପରିବାରକୁ ନ୍ୟାୟ ଏବଂ ଗୃହ ରାଜ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି ରାଜ୍ୟ ବିଜେପି ଓ କଂଗ୍ରେସ ପକ୍ଷରୁ ବିରୋଧ ଏବଂ ଆନ୍ଦୋଳନ ଜାରି ରହିଛି । ଆଜି ନବୀନ ନିବାସ ଘେରାଉ ପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ଡାକରା ଦିଆଯାଇଛି । ଅନ୍ୟପକ୍ଷରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ୨୬ ଓ ୨୭ ତାରିଖରେ ରାଜ୍ୟର ସମସ୍ତ ଏସ୍ପି ଅଫିସ୍ ଘେରାଉ କରାଯିବ ବୋଲି ବିଜେପି ପକ୍ଷରୁ ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ରାଜ୍ୟ ସରକାର ପୋଲିସ ବିଭାଗକୁ ହାତବାରିସୀ କରି ଏହି ବର୍ବୋରଚିତ ହତ୍ୟାକାଣ୍ଡକୁ ଦୀଗହରା କରିବା ପାଇଁ ହୀନ ଚକ୍ରାନ୍ତ କରୁଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ଅଭିଯୋଗକୁ ବିଜେଡି ପକ୍ଷରୁ ଖଣ୍ଡନ କରାଯାଇଛି । ବିଜେପି ଓ କଂଗ୍ରେସର ପ୍ରକୃତ ଉଦ୍ଦେଶ୍ୟ ପୀଡିତାଙ୍କୁ ନ୍ୟାୟ ଦେବା ନୁହେଁ ବରଂ ନିଜର ସ୍ୱାର୍ଥଜଡିତ ରାଜନୈତିକ ଲାଭ ପାଇଁ ଏହି ସମ୍ବେଦନଶୀଳ ପ୍ରସଙ୍ଗର ରାଜନୀତିକରଣ କରାଯାଉଛି ବୋଲି ବିଜେଡି ଏକ ପ୍ରେସ ସମ୍ମଳନୀରେ ପ୍ରକାଶ କରିଛି । ହତ୍ୟାକାରୀ ଗୋବିନ୍ଦ ସାହୁଙ୍କୁ ପୋଲିସ ଗିରଫ କରି ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଆଣିଥିଲା । ରିମାଣ୍ଡ ଅବଧି ଶେଷ ହେବା ପରେ ସୋମବାର ଭୋର ସମୟରେ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ମୃତ ମମିତା ତାଙ୍କ ଅବୈଧ ସମ୍ପର୍କ ବିଷୟରେ ଜାଣି ଯାଇଥିବାରୁ ତାଙ୍କୁ ହତ୍ୟା କରିଛି ବୋଲି ଗୋବିନ୍ଦ ପୋଲିସକୁ କହିଛି ।
ମମିତାଙ୍କୁ କିଭଳି ବିଭତ୍ସ ଭାବେ ହତ୍ୟା କଲା ତାହା ମଧ୍ୟ ପୋଲିସ ସମ୍ମୁଖରେ ସବୁ ସତ ସତ ଓଗାଳିସାରିଛି । କିନ୍ତୁ ଏବେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି, ମମିତାଙ୍କ ପାଖରେ ଏଭଳି କ’ଣ ପ୍ରମାଣ ଥିଲା ଯାହାକୁ ନେଇ ଗୋବିନ୍ଦ ଭୟଭୀତ ହୋଇଉଠିଥିଲା । ଏହି ପ୍ରମାଣରେ ଗୋବିନ୍ଦଙ୍କ ସହ ଅନ୍ୟ ବ୍ୟକ୍ତିଙ୍କ ସମ୍ପୃକ୍ତି ନାହିଁ ତ । ଯାହା ପଦାରେ ପଡ଼ଯିବାର ଭୟ ଯୋଗୁ ଗୋବିନ୍ଦ ତାଙ୍କୁ ଏତେ ନିଷ୍ଠୁର ଭାବେ ହତ୍ୟା କରିଥିଲା । ଅନ୍ୟପକ୍ଷରେ ମମିତାଙ୍କ ପାଖରେ ଯଦି ଏଭଳି କିଛି ପ୍ରମାଣ ଥିଲା ତେବେ ସେ ନିଜ ଜୀବନର ସୁରକ୍ଷା ପାଇଁ ମହିଳା କମିଶନଙ୍କ ଦ୍ୱାରସ୍ଥ କାହିଁକି ହେଲେ ନାହିଁ । ଏପରିକି ଏହି ଘଟଣା ବିଷୟରେ ନିଜ ସାଙ୍ଗସାଥୀ ବା ପରିବାର ଲୋକଙ୍କୁ ମଧ୍ୟ ମମିତା ଅବଗତ କରାଇ ନାହାନ୍ତି । ଯାହାର ସୁଯୋଗ ନେଇ ଅମଣିଷ ଗୋବିନ୍ଦ ମମିତାଙ୍କୁ ହତ୍ୟା କରିବା ଭଳି ଏକ ଚରମ ପଦକ୍ଷେପ ନେବାକୁ ମଧ୍ୟ ପଛାଇ ନ ଥିଲା ବୋଲି ଆଲୋଚନା ହେଉଛି । ଅନ୍ୟପକ୍ଷରେ ମନ୍ତ୍ରୀ ମିଶ୍ରଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆସୁଥିବାବେଳେ ସେ କାହିଁକି ନିଜର ପ୍ରତିକ୍ରିୟା ରଖୁନାହାନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । #MamitaMeher #JusticeForMamita #MamitaMeherCase