କୋଲକତା ମହାନଗର ନିଗମ ନିର୍ବାଚନରେ ନିଜର ଯାଦୁ ଦେଖାଇଛି ତୃଣମୂଳ କଂଗ୍ରେସ । ବିଜେପି ଓ ବାମପନ୍ଥୀ ଦଳମାନଙ୍କୁ ପଛରେ ପକାଇ ପୁଣିଥରେ କମାଲ କରିଛନ୍ତି ଦିଦି । କୋଲକାତା ମ୍ୟୁନିସିପାଲିଟି ନିର୍ବାଚନରେ କ୍ଲିନ ସୁଇପ୍ କରିଛି ଟିଏମସି । ତୃଣମୂଳ କଂଗ୍ରେସ ଏକ ବୃହତ ବିଜୟକୁ ନେଇ ଦଳର ସୁପ୍ରିମୋ ମମତା ବାନାର୍ଜୀ ଏହାକୁ ଏକ “ଚମତ୍କାର ବିଜୟ” ବୋଲି କହିବା ସହ କୋଲକାତାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ନିର୍ବାଚନ ଗଣତନ୍ତ୍ରର ବିଜୟ । ଏହା ଏକ ସ୍ପଷ୍ଟ ବାର୍ତ୍ତା ପଠାଇଛି ଯେ, ଲୋକମାନେ ଆମର କାର୍ଯ୍ୟକୁ ଗ୍ରହଣ କରିଛନ୍ତି। ବିଜେପି, କଂଗ୍ରେସ ଏବଂ ସିପିଆଇ (ଏମ୍) ଲୋକମାନଙ୍କ ଦ୍ୱାରା ପରାସ୍ତ ହୋଇଛି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।
କୋଲକାତା ମ୍ୟୁନିସିପାଲିଟିରେ ନିର୍ବାଚନ ହୋଇଥିବା ୧୪୪ ସିଟ ମଧ୍ୟରୁ ୧୩୪ ସିଟରେ ଲିଡ୍ କରୁଛି ଦିଦିଙ୍କ ତୃଣମୂଳ କଂଗ୍ରେସ । ବିଜେପି ୩, କଂଗ୍ରେସ ୨ ଓ ବାମଦଳ ୪ଟି ସିଟରେ ଆଗରେ ରହିଛି । ୧୬ଟି କେନ୍ଦ୍ରରେ ଏହି ଭୋଟଗଣତି ଚାଲିଛି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଦିନ ୧୧ଟା ସୁଦ୍ଧା ଟିଏମସି ୭୪.୨ ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେପିକୁ ୮ ପ୍ରତିଶତରୁ ବି କମ୍ ଭୋଟ ମିଳିଛି । ଭୋଟଗଣତି ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୩ ହଜାର ପୋଲିସ ମୁତୟନ ହୋଇଛନ୍ତି । ଅଧିକାଂଶ ସିଟରେ ଟିଏମସି ଲିଡ୍ କରିଥିବାରୁ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇ ଯାଇଛି ସେଲିବ୍ରେସନ । ଗତ ମ୍ୟୁନିସିପାଲିଟି ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ଟିଏମସି ଅଧିକ ସିଟରେ ବିଜୟ ହାସଲ କରିବ ବୋଲି ଆଶା କରାଯାଉଛି । ୨୦୧୫ ନିର୍ବାଚନରେ ୧୪୪ ସିଟରୁ ୧୧୪ ଓ୍ୱାର୍ଡରେ ଟିଏମସି ଅକ୍ତିଆରକୁ ଆସିଥିଲା । ୧୫ ସିଟରେ ଜିତି ଦ୍ୱିତୀୟ ସ୍ଥାନରେ ରହିଥିଲା ସିପିଏମ୍ । ବିଜେପିକୁ ୭ ଓ କଂଗ୍ରେସ ୫ଟି ସିଟରେ ବହୁମତ ମିଳିଥିଲା ।