୪ ଦିନ ହେଲା ଚାଲିଛି ଭିଜିଲାନ୍ସ ଚଢ଼ାଉ | ତଥାପି ସରୁନି ଭିଜିଲାନ୍ସ ଖୋଳତାଡ଼ । ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ ୧ ର ଅଧିକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କଙ୍କ ଅମାପ ସମ୍ପତି ଦେଖି ଭିଜିଲାନ୍ସ ଅଧିକାରୀ ତାଯୁବ | ଆଜି ଚଢାଉର ଚତୁର୍ଥ ଦିନରେ ବେଲଗାଚିଆ, ତ୍ରିଶୁଲିଆ, କଟକସ୍ଥିତ ଏକ ଫ୍ଲାଟରୁ ୧ କୋଟି ୧୫ ଲକ୍ଷ ନଗଦ ଟଙ୍କା ହୋଇଛି ଜବତ | ଏତେ ଟଙ୍କା ଗଣି ଗଣି ଥକି ପଡିଲେ ଅଧିକାରୀ | ଫଳରେ ଟଙ୍କା ଗଣିବା ପାଇଁ ଦରକାର ପଡିଲା ଟଙ୍କା ଗଣିବା ମେସିନ । ଏଥିସହିତ ୬୩୨ ଗ୍ରାମର ସୁନା, ରୂପା ବିସ୍କୁଟ ଓ ମୁଦ୍ରା ମଧ୍ୟ ଜବତ ହୋଇଛି |
ଏହା ପୂର୍ବରୁ ମାଲକାନଗିରିରେ ଚଢ଼ାଉ ବେଳେ ୨୧ଲକ୍ଷ ୭୫ହଜାର ୪୭୦ ଟଙ୍କା ଏବଂ ୬୦୨ ଗ୍ରାମ ସୁନା ଜବତ କରାଯାଇଥିଲା। ମୋଟ ୧ କୋଟି ୩୬ ଲକ୍ଷ ୭୫ ହଜାର ନଗଦ ଟଙ୍କା ଜବତ ହୋଇସାରିଲାଣି | ଯାହା ଓଡିଶା ଭିଜିଲାନ୍ସ ଇତିହାସରେ ସର୍ବାଧିକ ବୋଲି କୁହାଯାଉଛି | ଏଥିସହିତ ୪ ଦିନ ଚଢ଼ାଉ ଭିତରେ ୧.୨ କିଲୋଗ୍ରାମ ସୁନା ମଧ୍ୟ ଜବତ ହୋଇସାରିଲାଣି | ଭିଜିଲାନ୍ସ ଖୋଳତାଡ଼ ସମୟରେ, ଆଶିଷ ଦାସଙ୍କ ଦ୍ୱାରା ପରିବାର, ସମ୍ପର୍କୀୟ, ସହଯୋଗୀଙ୍କ ନାମରେ ପରିଚାଳିତ ଆକ୍ସିସ୍ ବ୍ୟାଙ୍କରେ ଥିବା ୧୨ ଟି ବ୍ୟାଙ୍କ ଆକାଉଣ୍ଟ୍ ସବିଶେଷ ତଥ୍ୟ ମିଳିଛି | ଯେଉଁଥିରେ ଶ୍ରୀ ଦାସଙ୍କ ଦ୍ୱାରା ୨.୨୫ କୋଟି ଟଙ୍କା ନଗଦ ଅର୍ଥ ଜମା କରାଯାଇଛି | ପୂର୍ବରୁ ୧.୭୭ କୋଟିର ଜମା ଚିହ୍ନଟ ହୋଇଥିଲା | ଏହା ସହିତ ବ୍ୟାଙ୍କ ଏଫଡିଆଇ / ସଞ୍ଚୟ / ବୀମା ଇତ୍ୟାଦିରେ ୪ କୋଟିରୁ ଅଧିକ ଟଙ୍କା ଜମା ଚିହ୍ନଟ ହୋଇଛି।ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଏବଂ ୨ଟି ବ୍ୟାଙ୍କ ଲକରର ଯାଞ୍ଚ ଏପର୍ଯ୍ୟନ୍ତ ହୋଇନାହିଁ | ସମ୍ପତ୍ତି ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଅଛି।