ଆଜି ପବିତ୍ର ମକର ସଂକ୍ରାନ୍ତି । ପର୍ବ ଏକ, ନାଁ ଅନେକ । ଦକ୍ଷିଣରେ ପୋଙ୍ଗଲ, ଉତ୍ତରରେ ଲୋହରୀ, ପୂର୍ବରେ ମକର ସଂକ୍ରାନ୍ତି ଆଉ ଉତ୍ତର-ପୂର୍ବରେ ବିହୁ ।ଏହି ପର୍ବକୁ ଆନନ୍ଦ ଉଲ୍ଲାସରେ ଦେଶବାସୀ ପାଳନ କରିଥାନ୍ତି । ନୂତନ ବର୍ଷର ଆରମ୍ଭର ପ୍ରତୀକ ଏହି ପର୍ବ । ଦକ୍ଷିଣ ଭାରତରେ କୃଷି ଭିତ୍ତିକ ଗଣପର୍ବ ‘ପୋଙ୍ଗଲ’ । ତେଲୁଗୁ ସଂପ୍ରଦାୟର ଲୋକେ ଏହି ପର୍ବକୁ ଧୁମଧାମର ସହ ପାଳନ କରନ୍ତି ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି ।ଓଡିଆ ପ୍ରବାଦ ଅନୁଯାୟୀ ମକରଠାରୁ ଦିନ କ୍ରମଶଃ ବଡ଼ ହୁଏ । ସୂର୍ଯ୍ୟଙ୍କର ତେଜ ମଧ୍ୟ ଏହି ଦିନଠାରୁ ପ୍ରଖର ହୋଇଥାଏ। ଦେବୀ ସଂକ୍ରାନ୍ତି ଏହି ତିଥିରେ ଶଙ୍କରାସୁରକୁ ବଧ କରିଥିଲେ । ତେଣୁ ମକର ଏହି ଦିନଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିବାରୁ ଆଲୋକ ଏବଂ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁ ସମ୍ପ୍ରଦାୟ ଏହି ଦିନ ପୂଜାର୍ଚ୍ଚନା କରନ୍ତି । ଅନେକ ସ୍ଥାନରେ ଏହି ଦିନ ଶିବଙ୍କୁ ପୂଜା କରାଯାଉଥିବା ବେଳେ ଜଗତର ନାଥ ଜଗନ୍ନାଥଙ୍କୁ ଏହିଦିନ ବେଶ୍ ଆଡମ୍ବରରେ ପୂଜାର୍ଚ୍ଚନା କରାଯାଏ। ବାର ମାସରେ ତେର ପର୍ବ ପାଳନ ହେଲାପରି ବର୍ଷକ ଯାକ କାଳିଆ ପାଖରେ ପାଳନ ହୁଏ ନୀତିକାନ୍ତି । ଆଜି ପବିତ୍ର ମକର ସଂକ୍ରାନ୍ତି । ଶ୍ରୀମନ୍ଦିରରେ ପାଳନ ହୋଇଥାଏ ମହାପ୍ରଭୁଙ୍କ ମକରନୀତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ବାଦଶଯାତ୍ରା ମଧ୍ୟରେ ମକରସଂକ୍ରାନ୍ତି ଏକ ପ୍ରମୁଖ ଯାତ୍ରା ହୋଇଥିବାରୁ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ଆଜି ଶ୍ରୀଜିଉ ମକର ଚୌରାଶି ବେଶରେ ସଜେଇ ହୋଇଛନ୍ତି ଆଜି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟିବା ପରେ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ନୀତି ବଢ଼ିବା ପରେ ଶ୍ରୀଜିଉମାନଙ୍କର ପଟା ପହରଣ ଲାଗି କରାଯାଇଛି । ଏହା ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଥିଲା । ପରେ କର୍ପୂର ଲାଗି ହୋଇ ଶ୍ରୀବିଗ୍ରହମାନଙ୍କର ବେଶ ବଢ଼ିଥିଲା । ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ବଢ଼ିବା ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମକରବେଶ ବଢ଼ିଥିଲା । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଜିଠାରୁ ସୂର୍ଯ୍ୟଙ୍କର ଆରମ୍ଭ ହେବ ଉତ୍ତରାୟଣ ଗତି । ଏହି ଉତ୍ତରାୟଣ ସମୟ ଅତିବ ଶୁଭଙ୍କର । ଏହି ଅବସରରେ ମାଳଚୂଳ ଅଳଙ୍କାର ପିନ୍ଧି ମକର ଚୌରାଶି ବେଶରେ ସଜିତ ହୋଇଛନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କ ମକରବେଶ ପାଇଁ ଜଗନ୍ନାଥ ବଲ୍ଲଭ ମଠ ପକ୍ଷରୁ ସୁସଜ୍ଜିତ ମାଳଚୂଳ ପ୍ରସ୍ତୁତ କରାଯାଇଥିବା ବେଳେ ବଡଓଡିଆ ମଠ ପକ୍ଷରୁ ରଙ୍ଗ ବେରଙ୍ଗର ବିଭିନ୍ନ ସୁବାଷିତ ପୁଷ୍ପ ଓ ତୁଳସୀ ଆଦିକୁ ନେଇ ସୁସଜ୍ଜିତ ମାଳ ଚୂଳ ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିରକୁ ଦିଆଯାଇଛି । ସେପଟେ ଗତକାଲି ରାତିରୁ କୁମ୍ଭାରପଡ଼ା ସ୍ଥିତ ଆଲାମଚଣ୍ଡୀ ମନ୍ଦିର ପକ୍ଷରୁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ମକର ଚାଉଳ ଭୋଗ ପାଇଁ ଏକ ପଟୁଆରରେ ଯାଇ ପାଞ୍ଚୋଟି ମକରତାଡ ଯୋଗାଇ ଦିଆଯାଇଛି । ମକର ସଂକ୍ରାନ୍ତି ଅବସରରେ ଆଜି ମହାପ୍ରଭୁଙ୍କ ମକରବେଶ ବା ମକରଚୌରାଶୀ ବେଶ ଅନୁଷ୍ଠିତ ହୋଇଛି । ମକରଚାଉଳ ଭୋଗ ମଧ୍ୟ କରାଯାଇଛି । ଏହାଛଡା ସାଧାରଣରେ ଏହିଦିନ ବ୍ରତ ରଖାଯାଏ । ମକର ସଂକ୍ରାନ୍ତି ବେଳକୁ ଓଡିଶାରେ ନୂଆ ଫସଲ ଅମଳ ହୋଇଥାଏ। ନୂଆ ଧାନରୁ ପ୍ରସ୍ତୁତ ଅରୁଆ ଚାଉଳ, ନୂଆଗୁଡ଼, ଛେନା, ନଡ଼ିଆ, ପାଚିଲା କଦଳୀ, ଘିଅ, କ୍ଷୀର ଇତ୍ୟାଦିକୁ ମିଶାଇ ଗୋଟିଏ ମିଠା ଭୋଗ ପ୍ରସ୍ତୁତ କରାଯାଏ । ଭୋଗକୁ ଗୃହଦେବତା ଓ ଧାନଖଳାରେ ଭୋଗ ଲଗାଯାଏ । ଏହାକୁ ‘ମକର ଚାଉଳ’ କୁହାଯାଏ । ଏଵଂ ଏହାକୁ ପରସ୍ପରକୁ ଖୁଆଇ ଲୋକେ ‘ମକର’ ନାଁରେ ସାଥୀ ବସିଥାନ୍ତି । କେତେକ ଅଞ୍ଚଳରେ ନୂଆଧାନର ଚାଉଳରେ ପ୍ରସ୍ତୁତ ପିଠା ସହିତ ଗୁଡ, କଦଳୀ, ନଡ଼ିଆ ଓ ଅରୁଆଚାଉଳରେ ଦେବାଦେବୀଙ୍କ ପାଖରେ ଭୋଗ କରାଯାଇଥାଏ । ଏହି ଦିନର ଆଉ ଏକ ବିଶେଷ ମହତ୍ତ୍ବ ରହିଛି । ଲୋକେ ନୂଆ ପୋଷାକ ପରିଧାନ କରି ଗୁଡି ଉଡାଇ ଥାଆନ୍ତି । ଏନେଇ ଅନେକ ସ୍ଥାନରେ ଗୁଡି ଉଡାଇବା ପ୍ରତିଯୋଗିତା ମଧ୍ୟ ହୋଇଥାଏ । ଅପରପକ୍ଷରେ ସୂର୍ଯ୍ୟଙ୍କ ପାଇଁ କ୍ଷେତରେ ଶସ୍ୟ ଉତ୍ପନ ହେଉଥିବାରୁ କୃଷକମାନେ ମକରସଂକ୍ରାନ୍ତିର ପୂଣ୍ୟକାଳରେ ସୂର୍ଯ୍ୟଙ୍କୁ ନୂତନ ଶସ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରିଥାନ୍ତି । ଏହାଦ୍ବାର ସେମାନଙ୍କର ସାରାବର୍ଷ ଫସଲ ଭଲ ହୋଇଥାଏ ବୋଲି ବିଶ୍ବାସ ରହିଛି ।