ବିଧବା ପ୍ରଥା ଉଚ୍ଛେଦ କରିବେ ମହାରାଷ୍ଟ୍ର ସରକାର; ମହିଳାଙ୍କୁ ଆଉ ଭାଙ୍ଗିବାକୁ ପଡିବନି ଚୁଡି, କି ପୋଛିବାକୁ ପଡ଼ିବନି ସିନ୍ଦୂର
ହଟିବ ବିଧବା ପ୍ରଥା
ବିଧବା ପ୍ରଥା ଉପରେ କଟକଣା ଲଗାଇଛନ୍ତି ମହାରାଷ୍ଟ୍ର ସରକାର । ଶହ ଶହ ବର୍ଷ ଧରି ଚାଲିଥିବା ବିଧବା ପ୍ରଥାକୁ ଉଚ୍ଛେଦ କରିବା ନେଇ ମହାରାଷ୍ଟ୍ର ସରକାର ପଦକ୍ଷେପ ନେଇଛନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ଚୁଡ଼ି ଭାଙ୍ଗିବା, ମଥାରୁ ସିନ୍ଦୁର ପୋଛିବା ଏବଂ ବେକରୁ ମଙ୍ଗଳସୁତ୍ର ବାହାର କରିବା ପାଇଁ ମହିଳାଙ୍କୁ ବାଧ୍ୟ କରାଯାଇପାରିବନି | କୋଲ୍ହାପୁରର ହେରୱାଡ ଗ୍ରାମ ପଞ୍ଚାୟତର ନିଷ୍ପତ୍ତିକୁ ଗ୍ରହଣ କରି ସମଗ୍ର ରାଜ୍ୟରେ ବିଧବା ପ୍ରଥା ଉଛେଦ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଭଳି କୁପ୍ରଥା ମହିଳାଙ୍କ ସମ୍ମାନରେ ଆଞ୍ଚ ଆଣିବା ସହ ମାନବାଧିକାର ଉଲ୍ଲଙ୍ଘନ ହେଉଛି | ତେଣୁ ଆଜିର ଆଧୁନିକ ଯୁଗରେ ଏଭଳି କୁପ୍ରଥାର କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି ମହାରାଷ୍ଟ୍ର ସରକାର |
ରାଜ୍ୟ ସରକାର ଏକ ସରକାରୀ ଆଦେଶ (ସର୍କୁଲାର) ସମସ୍ତ ଗ୍ରାମ ପଞ୍ଚାୟତକୁ ପ୍ରଦାନ କରିଛନ୍ତି। ଏହି ସର୍କୁଲାରକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପରେ ନ୍ୟସ୍ତ ହୋଇଛି। ହେଲେ ଏହି ନିୟମ ଉଲଙ୍ଘନ କଲେ କୌଣସି ଦଣ୍ଡ ବିଧାନର ପ୍ରାବଧାନ ଅଣାଯାଇ ନାହିଁ । ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀଙ୍କୁ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ହେରୱାଡ ଗ୍ରାମ ପଞ୍ଚାୟତର ନିଷ୍ପତ୍ତିକୁ ଗ୍ରହଣ କରି ସମାଜରେ ସୁଧାର ଆଣିବାକୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ହାସନ ମୁଶ୍ରିଫ ସମସ୍ତଙ୍କୁ ନିବେଦନ କରିଛନ୍ତି। ସମାଜରେ ଚାଲିଥିବା ଏଭଳି କୁପ୍ରଥାକୁ ରୋକିବା ପାଇଁ ମହାରାଷ୍ଟ୍ର ସର୍ବଦା ଆଗରେ ରହିଆସିଛି ବୋଲି ସେ କହିଛନ୍ତି।
ସୂଚନା ଥାଉକି, ବିଧବା ପ୍ରଥା ଭଳି ଅମାନବୀୟ କାର୍ଯ୍ୟ ଉପରେ ରୋକ ଲଗାଇବାକୁ ମେ 4 ରେ କୋଲହାପୁର ଜିଲ୍ଲାର ହେରୱର ଗ୍ରାମ ପଞ୍ଚାୟତ ଏକ ପ୍ରସ୍ତାବ ପାରିତ କରିଥିଲା | ଗାଁର ଲୋକମାନେ ନିଷ୍ପତ୍ତି ନେଇଛନ୍ତି ଯେ, ଯଦି ସ୍ୱାମୀଙ୍କ ମୃତ୍ୟୁ ହୁଏ, ତା’ହେଲେ ତାଙ୍କର ଶେଷ ରୀତିନୀତି ଅନୁଯାୟୀ ପତ୍ନୀଙ୍କ ଚୁଡ଼ି ଭାଙ୍ଗିବା ଏବଂ ମଥାରୁ ସିନ୍ଦୁର ପୋଛିଦେବା, ମଙ୍ଗଳସୁତ୍ରକୁ ବାହାର କରିବା ଭଳି ଅମାନବୀୟ କାର୍ଯ୍ୟ କରାଯାଇ ମହିଳାଙ୍କୁ ଅପମାନିତ କରାଯିବ ନାହିଁ | ଏହି ପ୍ରସ୍ତାବକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି |