ବଢ଼ିଲା ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲ୍ଲିକଙ୍କ ଅଡୁଆ | କୁଖ୍ୟାତ ଅଣ୍ଡରଓ୍ବାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ ସହ ଲିଙ୍କ ପ୍ରସଙ୍ଗରେ ଇଡିର ମାରାଥନ ଜେରା | ଏନସିପିର ବରିଷ୍ଠ ନେତା ନୱାବ ମଲ୍ଲିକଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଘରୁ ଉଠାଇ ନେଇଛି । ଇଡି ଟିମ୍ ତାଙ୍କୁ ପଚରାଉଚରା ପାଇଁ ମୁମ୍ବାଇ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରୁଛନ୍ତି । କୁହାଯାଉଛି ଯେ ଅଣ୍ଡରୱାର୍ଲ୍ଡର ସମ୍ପତ୍ତି କିଣା ବିକାରେ ନବାବ ମଲିକଙ୍କ ସମ୍ପୃକ୍ତି ଥିବାରୁ ତାଙ୍କୁ ପଚରାଉଚରା କରାଯାଉଛି।
ଏହି ସମୟରେ ନବାବ ମଲିକଙ୍କ କାର୍ଯ୍ୟାଳୟରୁ ଏକ ଟ୍ୱିଟ କରାଯାଇଛି | ସେଥିରେ , ଲେଖାଯାଇଛି ‘ନା ଡ଼ରିବୁ, ନାଁ ନଇଁବୁ , ୨୦୨୪ ପାଇଁ ପ୍ରସ୍ତୁତ ରୁହ ! ‘ ଅନ୍ୟପକ୍ଷରେ ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ, ନବାବ ମଲିକ ନିରନ୍ତର କେନ୍ଦ୍ର ସରକାର ଏବଂ ଇଡି ବିରୋଧରେ କହୁଛନ୍ତି। ସେଥିପାଇଁ ତାଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଅଣାଯାଇଛି |
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଗତବର୍ଷ ନଭେମ୍ବର ୯ ତାରିଖରେ ଅଣ୍ଡରୱାର୍ଲ୍ଡ ସହିତ ନବାବ ମଲିକଙ୍କ ସମ୍ପର୍କକୁ ନେଇ ଖୁଲାସା କରିଥିଲେ। ସେ କହିଥିଲେ ଯେ ନବାବ ମଲ୍ଲିକ ଦାଉଦ ଇବ୍ରାହିମଙ୍କ ଗ୍ୟାଙ୍ଗରୁ ଜମି କିଣିଛନ୍ତି। ମୁମ୍ବାଇରେ ବିସ୍ଫୋରଣ କରିଥିବା ଅଭିଯୁକ୍ତଙ୍କଠାରୁ ନବାବ ଏହି ଜମି କିଣିଥିଲେ |