ଭାଇ ହେଲା ଭଗାରୀ | ବଡ ଭାଇର ପୂରା ପରିବାରକୁ ନିପାତ କରିଦେଲା ସାନ ଭାଇ । ବଡ଼ ଭାଇ ସମେତ ତାଙ୍କ ପରିବାରର ୫ ଜଣ ସଦସ୍ୟଙ୍କୁ ମାରି ଦେଲା ସାନ ଭାଇ । ମୋର ବଡ ଭାଇ ଉପରେ ରାଗ ଥିଲା | ତେଣୁ ମୁଁ ରାଗିକି ତାଙ୍କ ପରିବାରର ସମସ୍ତଙ୍କୁ ଜୀବନରୁ ମାରି ଦେଇଛି ବୋଲି ପୋଲିସ ଆଗରେ ସ୍ୱୀକାର କରିଛି ସାନ ଭାଇ ଶିବ ପ୍ରସାଦ ସାହୁ ।ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁରରେ। ଅଭିଯୁକ୍ତ ଥାନାରେ କରିଛି ଆତ୍ମସମର୍ପଣ । ଅଭିଯୁକ୍ତ ଶିବ ପ୍ରସାଦ ହତ୍ୟା ସମୟର ଏକ ଏକ ଭିଡିଓ ପ୍ରସ୍ତୁତ କରି ଗାଁର ଅନ୍ୟମାନଙ୍କ ପାଖକୁ ମଧ୍ୟ ପଠାଇଥିବା ଜଣାଯାଇଛି |
ଜାରି କରିଥିବା ଭିଡିଓରେ ସେ କହିଛନ୍ତି, “ ମୁଁ ଶିବ ପ୍ରସାଦ ସାହୁ କହୁଛି । ପାରିବାରିକ କଳହ ସକାଶେ ମୋର ଭାଇଙ୍କ ସହ ତିକ୍ତତା ଲାଗି ରହିଥିଲା । ସେମାନେ ମୋତେ ବହୁତ ହଇରାଣ ହରକତ କରୁଥିଲେ । କାଲି ରାତିରେ ଭାଇ, ଭାଉଜ, ତା ପିଲାମାନେ ମିଶିକି ମୋତେ ମାରିଲେ । ତେଣୁ ମୁଁ ବି ମାନସିକ ସ୍ଥିତି ହରାଇ ବସିଲି । ମୁଁ ବି ରାଗିକି ସେମାନଙ୍କୁ ଜୀବନରୁ ମାରି ଦେଇଛି । ତେଣୁ ମୁଁ ବର୍ତ୍ତମାନ ଯାଉଛି ବାଲିଚନ୍ଦ୍ରପୁର ଥାନାରେ ସରେଣ୍ଡର କରିବି । କାହିଁକି ନାଁ ମୋର ମାହାଙ୍ଗାକୁ ଯିବା ପାଇଁ କୌଣସି ସାଧନ ନାହିଁ । ଏତିକି କହି ରହୁଛି, ଆଇନ ଯାହା ଦଣ୍ଡ ଦେବ ମୁଁ ତାକୁ ଗ୍ରହଣ କରିବି” ।
ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସାନ ଭାଇ ଘରେ ତାଲା ପକାଇ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଛି। ଖବରପାଇ ଘଟଣା ସ୍ଥଳରେ ପୋଲିସ ଓ ମାଜିଷ୍ଟ୍ରେଟ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ପାରିପାଶ୍ୱିର୍କ ଅବସ୍ଥାରୁ ରାତିରେ ଶୋଇଥିବା ବେଳେ ସମସ୍ତଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଦେଇଥିବା ଜଣାପଡିଛି। ବନ୍ଦ କୋଠରୀ ଖୋଲି ପୋଲିସ ମୃତଦେହ ଜବତ କରିବା ସହ ସେଠାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ମୃତକମାନେ ହେଲେ ଅଲେଖ ସାହୁ, ତାଙ୍କ ପତ୍ନୀ ରଶ୍ମିରେଖା ସାହୁ, ୧୮ ବର୍ଷୀୟା ବଡ ଝିଅ ସ୍ମୃତିସନ୍ଧ୍ୟା, ଦୁଇ ପୁଅ ସ୍ମୃତି ସୌରଭ ଓ ସ୍ମୃତି ସାଇ । ଘର ଭିତରେ ରକ୍ତ ଛିଟା ଲାଗିଥିବା ଦେଖିବାକୁ ମିଳିଛି । ହତ୍ୟାରେ ମାରଣାସ୍ତ୍ର ବ୍ୟବହୃତ ହୋଇଥିବା ଅନୁମାନ କରାଯାଉଛି । ହେଲେ ଏଠି ପ୍ରଶ୍ନ ଉଠୁଛି ୫ଜଣଙ୍କୁ କେମିତି ଏକାବେଳେ ହତ୍ୟା କଲା ସାନ ଭାଇ । କେହି କିପରି ଜାଣିପାରିଲେନି । ଖାଲି ଜମିବାଡି ବିବାଦକୁ ନେଇ ହତ୍ୟା କରିଛନ୍ତି ନା ଏଥିରେ ଆଉ କିଛି କାରଣ ରହିଛି । ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।