ବର୍ଷା ପାଣିରେ ଅଧା ମାହାଙ୍ଗା ଉବୁଟୁବୁ, ସହାୟତା ପାଇଁ ତହସିଲ ସାମ୍ନାରେ ବିପନ୍ନ ପରିବାର । ଲଗାଣ ବର୍ଷା ଯୋଗୁଁ ବିରୂପା, ମଇଜରା, ଗୋବରୀ ଏବଂ ଶୁକୁ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଯାହା ଫଳରେ ମାହାଙ୍ଗା ବ୍ଲକ ଅଞ୍ଚଳରେ ଥିବା ଶହଶହ ଗାଁ’ରେ ପାଣି ପଶି ଯାଇଛି । ୨୪ଟି ପଞ୍ଚାୟତର ୬୭ ଗାଁରେ ଥିବା ୮୨୧୫ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ମାହାଙ୍ଗା ବ୍ଲକର ହାତ ଗଣତି କିଛି ଗ୍ରାମରେ ଶୁଖିଲା ଖାଦ୍ୟ ପହଞ୍ଚି ଥିବା ବେଳେ, ବନ୍ୟାର ପଞ୍ଚମ ଦିନ ସୁଦ୍ଧା ୧୭ ପଞ୍ଚାୟତରେ ପ୍ରଶାସନର ପାଦ ପଡି ପାରିଲା ନାହିଁ । ଏବେବି ରାସ୍ତାଘାଟ ପାଣିରେ ବୁଡି ରହିଛି । ସ୍ୱାସ୍ଥ୍ୟସେବା ନେଇ ଚିନ୍ତାରେ ଜଳବନ୍ଦୀ ଅଞ୍ଚଳର ଜନତା । ବହୁ ଗାଁରେ କଚ୍ଚା ଘରର କାନ୍ଥ ପଡିଛି,ବହୁ କଚାଘର ନଷ୍ଟ ହୋଇଛି, ଆଉ ଗାଈ ଗୋରୁଙ୍କ ଦୁର୍ଦ୍ଦଶା ନ କହିଲେ ଭଲ । ଏସବୁ ସତ୍ୱେ ପାଣି ଘେରରେ ଥିବା ପରିବାର ପାଖରେ ପହଞ୍ଚି ପାରିନି ପ୍ରଶାସନ । ଏହାର ପ୍ରତିବାଦରେ ଆଜି ଚାହାପଡା ପଞ୍ଚାୟତରୁ ଶତାଧିକ ବନ୍ୟା ବିପନ୍ନ ପରିବାର ସ୍ଥାନୀୟ ତହସିଲ ଆଗରେ ଉପସ୍ଥିତ ହୋଇ ପ୍ରତିବାଦ ଜଣାଇବା ଦେଖିବାକୁ ମିଳିଛି କେବଳ ଲୋକଙ୍କ ଘରେ କିମ୍ବା ଗାଁ’ରେ ପାଣି ପଶିଛି ସେକଥା ନୁହେଁ, ଖୋଦ ତହସିଲ ପ୍ରଶାସନ ମଧ୍ୟ ସମ୍ପୂର୍ଣ୍ଣ ଜଳବନ୍ଦୀ । ମାହାଙ୍ଗା ତହସିଲ କାର୍ଯ୍ୟାଳୟ ସାମ୍ନାରେ ଆଣ୍ଠୁଏ ପାଣି । ଚାହାପଡ଼ା ପଞ୍ଚାୟତର କଂଟିକିଆରୀ,ଜହଳ, ବରଦିଆ,ମୌଜାରେ ଲୋକେ ଅକଥନୀୟ ଅସୁବିଧା ଭୋଗୁଥିବାବେଳେ, ଏମାନଙ୍କ ନିକଟରେ ଜରିପାଲ ଖଣ୍ଡେ ପହଞ୍ଚିଲା ନାହିଁ । ଏପରିକି ରନ୍ଧାଖାଦ୍ୟ ଠାରୁ ଶୁଖିଲା ଖାଦ୍ୟ, ଗୃହ ପାଳିତ ପଶୁଙ୍କ ପାଇଁ ଗୋ’ ଦାନା ମୁଠାଏ, ସରକାରୀ ଭାବେ ଯୋଗାଇ ଦିଆଯାଇନି । ଦୀର୍ଘ ୫ ଦିନ ହେଵ ଜଳବନ୍ଦୀ ହୋଇପଡିଥିବା ଏହି ପଞ୍ଚାୟତ ଭଳି ଆହୁରି ୧୬ ପଞ୍ଚାୟତରେ ପ୍ରଶାସନ କାହିଁକି ପହଞ୍ଚି ପାରୁନି, ଏହାର ପ୍ରତିବାଦରେ ତହସିଲ ଘେରିଥିଲେ ବନ୍ୟା ବିପନ୍ନ ଜନତା
#Mahanga #NNSODIA