ଏନଏନଏସ୍: କଟକ ମହାନଦୀର ସ୍ଥିତି ଅନୁଧ୍ୟାନ ପରେ ଚିଲିକା ମୁହାଁଣ ପରିଦର୍ଶନ କଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମିର୍ଜାପୁରଠାରୁ ମୋଟର ବୋଟ୍ ରେ ଏହି ଟିମ୍ ଚିଲିକା ମୁହାଁଣ ପରିଦର୍ଶନ କରିଛନ୍ତି। ୧୦ ଦିନିଆ ଗସ୍ତରେ ଆସିଥିବା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ସଦସ୍ୟମାନେ ଗତକାଲି କଟକରେ ମହାନଦୀର ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଟ୍ରିବ୍ୟୁନାଲ ଟିମ୍ ପ୍ରଥମେ ମୁଣ୍ଡଳୀ ବ୍ୟାରେଜ ପରିଦର୍ଶନ କରିଥିଲେ। ଏହାପରେ ସାପୁଆ କେନାଲରେ ପହଞ୍ଚି ସ୍ଥିତି ପରଖିବା ପରେ କାଠଯୋଡ଼ି ନଦୀର ଉତ୍ପତ୍ତି ସ୍ଥଳ ନରାଜ ବ୍ୟାରେଜ ଦେଖିଥିଲେ। ଏହାପରେ ଟିମ୍ ଗଡଗଡିଆ ଓ ପରେ ଯୋବ୍ରା ଆନିକଟ ଓ ବିରୂପା ବ୍ୟାରେଜ୍ ଗସ୍ତ କରି ମହାନଦୀ ଜଳର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଟିମରେ କେନ୍ଦ୍ରରୁ ଆସିଥିବା ଟ୍ରିବ୍ୟୁନାଲ ଟିମ ସହ ଛତିଶଗଡ ଏବଂ ଓଡିଶାର ଅଧିକାରୀ ଓ ଜିଲ୍ଲାପାଳ, ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଆସି ମହାନଦୀର ସ୍ଥିତି ବୁଲି ଦେଖିଛନ୍ତି ।