ଆଜି ଉତ୍କଳ ଦିବସ | ଆଜିର ମହାନ ଦିବସକୁ ସମଗ୍ର ରାଜ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଉଛି | ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ବିନ୍ଧାଣିମାନେ ହେଲେ ଉତ୍କଳ ଗୌରବ ମଧୁସୂଦନ ଦାସ, ପାରଳା ମାହାରାଜା କୃଷ୍ଣଚନ୍ଦ୍ର ଗଜପତି,ବ୍ୟାସ କବି ଫକୀରମୋହନ ସେନାପତି, ଉତ୍କଳମଣିଗୋପବନ୍ଧୁ ଦାସ,ସ୍ୱଭାବ କବି ଗଙ୍ଗାଧର ମେହେର, ରାଧାନାଥ ରାୟ, ବିଜୁ ପଟ୍ଟନାୟକ ପ୍ରମୁଖ | ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ଓଡିଶାକୁ ସ୍ୱତନ୍ତ୍ର ଭାଷାଭିତ୍ତିକ ରାଜ୍ୟରେ ପରିଣତ କରିବାରେ ଆମ ବରପୁତ୍ରମାନଙ୍କ ଅବଦାନ ଚିର ସ୍ମରଣୀୟ।
ଓଡିଶା ୧୯୩୬ମସିହା ଏପ୍ରିଲ ମାସ ୧ତାରିଖରେ ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ରେ ପରିଣତ ହୋଇଥିଲା। ବାସ୍ତବ କ୍ଷେତ୍ରରେ ଆମ ରାଜ୍ୟ ଓଡିଶା ଆଜି ବହୁ ପ୍ରଗତିପଥରେ ଅଗ୍ରସର ହୋଇଛି ।କିନ୍ତୁ ବିଡ଼ମ୍ବନାର ବିଷୟ ଯେ ଓଡିଶାର ଯେଉଁ ଵୀର ଓ ବରପୁତ୍ରମାନେ ସେମାନଙ୍କ ତ୍ୟାଗ ନିଷ୍ଠା ଓ ଏକାଗ୍ରତା ବଳରେ ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟରେ ପରିଣତ କରିଛନ୍ତି, ସେମାନଙ୍କୁ ଆମେ କେତେ ମନେ ରଖିଛୁ ? ଯଦି ସରକାରୀ ସ୍ତରରେ ଆବଶ୍ୟକ ପଦକ୍ଷେପ ନିଆଯାନ୍ତା, ତେବେ ଓଡ଼ିଆ ଭାଷାକୁ ପ୍ରତ୍ୟକ କାର୍ଯ୍ୟାଳୟରେ ବାଧ୍ୟତାମୂଳକ କରାଯିବା ସହିତ ପ୍ରତ୍ୟକ ସରକାରୀ ଅଫିସ ପରିସରରେ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଆନ୍ତା | ତେବେ ଯାଇ ଆଗାମୀ ପିଢ଼ୀ ହୁଏତ ଏହି ଵୀର ଓ ବରପୁତ୍ରମାନଙ୍କୁ ମନେ ରଖିପାରନ୍ତେ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି |
ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମମାଟି ସାଲେପୁରର ସତ୍ୟଭାମାପୁର | ଆଜି ଏଉତ୍କଳ ଦିବସ ଅବସରେ ଜନ୍ମମାଟିରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ବହୁବିଶିଷ୍ଟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତିଚାର କରିଛନ୍ତି| ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଭାସମିତି ଅନୁଷ୍ଠିତ ହେଉଛି। କିନ୍ତୁ ମଧୁ ବାବୁଙ୍କ ଜନ୍ମମାଟିରେ ଆଜିଯାଏଁ ଆବଶ୍ୟକୀୟ ବିକାଶ ହୋଇପାରିନାହିଁ। କେବଳ ସରକାରୀ ଅନୁଦାନରେ ସୀମିତ ରହିଯାଇଛି ବିକାଶ କାମ | ଯଦି ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତେ ତେବେ ଏହି ସ୍ଥାନ ଆହୁରି ବିକଶିତ ହୋଇପାରନ୍ତା | ଏଥିସହିତ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି ।