ନୂଆଦିଲ୍ଲୀ : ଦେଶବାସୀ ଏବେ ମହାମାରୀ କରୋନା ସହ ଲଢ଼େଇ କରୁଥିବା ବେଳେ ଏସବୁ ଭିତରେ ଲୋକଙ୍କ ଉପରେ ଗୋଟିଏ ପରେ ଗୋଟିଏ ଦାଉ ସାଧୁଛି ମହଙ୍ଗା ମାଡ଼। ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବା ବେଳେ ଆଜିଠୁ ଆହୁରି ଅନେକ ଜିନିଷର ଦାମରେ ବୃଦ୍ଧି ଘଟିଛି। ଯାହା ଲୋକଙ୍କ ଖର୍ଚ୍ଚ ବଢ଼ାଇ ଦେଇଛି। କ୍ଷୀର ହେଉ ଅବା ବ୍ୟାଙ୍କ୍ ସେବା ଏପରିକି ରୋଷେଇ ଗ୍ୟାସ୍ ସିଲିଣ୍ଡର ଦାମ ଏବେ ମହଙ୍ଗା ହୋଇଛି। ଆଜିଠୁ ଏଲ୍ପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ଆଜିଠୁ ବିନା ସବ୍ସିଡି ସିଲିଣ୍ଡର ପାଇଁ ୨୫ ଟଙ୍କା ଅଧିକ ଦେବାକୁ ପଡ଼ିବ। ନୂଆ ମୂଲ୍ୟ ବୃଦ୍ଧି ପରେ ଦିଲ୍ଲୀରେ ଏଲ୍ପିଜି ସିଲିଣ୍ଡର ଦାମ୍ ୮୩୪ ଟଙ୍କା ହୋଇଥିବା ବେଳେ କୋଲକାତାରେ ୮୬୧ ଟଙ୍କା, ମୁମ୍ବାଇରେ ୮୩୪ ଟଙ୍କା ୫ ପଇସା ଓ ଚେନ୍ନାଇରେ ୮୫୦ ଟଙ୍କା ରହିଛି। ସେହିପରି କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୮୪ ଟଙ୍କା ବୃଦ୍ଧି ପାଇଛି। ଏହା ପୂର୍ବରୁ ଏଲ୍ପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ ୮୦୯ ଟଙ୍କା ଥିଲା। ଏପ୍ରିଲରେ ଏଲ୍ପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୦ ଟଙ୍କା ଶସ୍ତା ହୋଇଥିଲା। ଏହାପରେ ମେ’-ଜୁନ୍ରେ ଦରରେ କୌଣସି ପରିବର୍ତ୍ତନ ହୋଇନଥିଲା।