ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ । ୮୫ ବର୍ଷ ବୟସ କଟକ ବାଦାମବାଡିସ୍ଥିତ ବାସଭବନରେ ଗତକାଲି ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଯାଇଛି । କଟକ ସତୀଚଉରାଠାରେ ଆଜି ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ । ନିଜର କୃତି ପାଇଁ ୨୦୨୦ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । କ୍ଷୁଦ୍ରଗଳ୍ପ କସ୍ତୁରୀ ମୃଗ ଓ ସବୁଜ ଆରଣ୍ୟ ପାଇଁ ବୀଣାପାଣି ମହାନ୍ତି ୧୯୬୮ ମସିହାରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।
ବିଣାପାଣୀଙ୍କ ବିୟୋଗରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଖ୍ୟାତାନାମା ସାହିତ୍ୟିକାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି | ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ବିଶିଷ୍ଟ ଲେଖିକା ବୀଣାପାଣି ମହାନ୍ତିଙ୍କ ଦେହାନ୍ତରେ ସେ ଦୁଃଖିତ । ଓଡ଼ିଆ ସାହିତ୍ୟଜଗତ ଲାଗି ବୀଣାପାଣିଙ୍କ ଅବଦାନ ଥିଲା ଅତୁଳନୀୟ । ତାଙ୍କର ଅନେକ ପୁସ୍ତକ ବିଭିନ୍ନ ଭାଷାରେ ଅନୁଦିତ ହୋଇ ବହୁ ଲୋକପ୍ରିୟତା ହାସଲ କରିଛି । ଶେଷରେ ପ୍ରଧାନମନ୍ତ୍ରୀ ତାଙ୍କ ପରିବାର ଓ ପ୍ରଂଶସକଙ୍କୁ ସମବେଦନା ଜଣାଇଛନ୍ତି ।
ସେହିପରି ସାରସ୍ୱତ ସାଧକ ବୀଣାପାଣି ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି | ଏକ ଶୋକବର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବୀଣାପାଣି ମହାନ୍ତି ତାଙ୍କ ଗଳ୍ପ ଓ ଉପନ୍ୟାସରେ ନାରୀ ଜୀବନର ସଂଘର୍ଷକୁ ସଫଳତାର ସହ ଉପସ୍ଥାପନା କରିଯାଇଛନ୍ତି | ତାଙ୍କର କାଳଜୟୀ ରଚନା ନାରୀ ସଶକ୍ତିକରଣ ପାଇଁ ସବୁବେଳେ ପ୍ରେରଣା ଯୋଗାଇ ଚାଲିବ |
ବୀଣାପାଣି ମହାନ୍ତିଙ୍କ ବିୟୋଗ ଓଡ଼ିଆ ସାରସ୍ୱତ ଜଗତରେ ଏକ ବିରାଟ ଶୂନ୍ୟତା ସୃଷ୍ଟି କରିଛି | ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି | ବୀଣାପାଣି ମହାନ୍ତିଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ସେ କହିଛନ୍ତି- ଓଡ଼ିଆ ଭାଷାକୁ ବୀଣାପାଣି ସମୃଦ୍ଧ କରିଛନ୍ତି। ତାଙ୍କର ସୃଷ୍ଟି ମାଧ୍ୟମରେ ବୀଣାପାଣି ଚିର ସ୍ମରଣୀୟ ହୋଇ ରହିବେ।