ଓଡ଼ିଆ ସଙ୍ଗୀତ ଜଗତରେ ଶେଷ ହେଲା ଏକ ଯୁଗ । ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର | ରାଷ୍ଟ୍ରିୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହେଲା ଅନ୍ତିମ ସଂସ୍କାର । ତାଙ୍କ ବଡପୁଅ ମହାଦୀପ କର ଦେଲେ ମୁଖାଗ୍ନି । ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଅନ୍ତିମ ସଂସ୍କାରରେ ସାନ ପୁଅ ମହାପ୍ରସାଦ କର, କନ୍ୟା ସନ୍ଧ୍ୟାଦୀପ କର, ଆତ୍ମୀୟ ସ୍ୱଜନ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷକୃତ୍ୟ ସମୟରେ ରାଜ୍ୟ ସରକାରଙ୍କ ତରଫରୁ ମନ୍ତ୍ରୀ ପ୍ରତାପ ଜେନା ଓ ସମୀର ଦାସ ଏବଂ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।
ଗତକାଲି ରାତିରେ ୮୩ ବର୍ଷ ବୟସରେ ପରପାରିକୁ ଚାଲିଯାଇଥିଲେ ପ୍ରଫୁଲ୍ଲ କର । ତାଙ୍କ ପରଲୋକର ଖବର ପାଇ ମହାମହିମ ରାଜ୍ୟପାଳ ଗଣେସି ଲାଲ, ବନ୍ଧୁ ଓ ଶୁଭେଚ୍ଛୁମାନେ ତାଙ୍କ ସତ୍ୟନଗରସ୍ଥିତ ବାସଭବନରେ ପହଂଚି ଶେଷ ଦର୍ଶନ କରିଥିଲେ । ପ୍ରଫୁଲ୍ଲଙ୍କ ବିୟୋଗ ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି ସୃଷ୍ଟି କରିଛି । ପଦ୍ମଶ୍ରୀ ପ୍ରଫୁଲ୍ଲ କର ଏକାଧାରରେ ଜଣେ ସଂଗୀତଜ୍ଞ, ଗୀତିକାର, ଲେଖକ, ସ୍ତମ୍ଭକାର ଭାବେ ପରିଚିତ ଥିଲେ। ସେ ୭୦ରୁ ଊର୍ଦ୍ଧ୍ୱ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ଅନବଦ୍ୟ ସୃଷ୍ଟି ତାଙ୍କୁ ଓଡ଼ିଶାର ଘରେ ଘରେ ପରିଚିତ କରାଇଥିଲା।