ଲକ୍ଷ ଲକ୍ଷ ଲୋକଙ୍କର ଆସ୍ଥା ଓ ବିଶ୍ବାସର ପ୍ରତୀକ ମା ମାଣିକେଶ୍ବରୀ । କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ମା ମାଣିକେଶ୍ବରୀ ପୀଠର ଉର୍ନତି ପାଇଁ ବିକାଶ କାମର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍ଫରେନ୍ସିଂ ଜରିଆରେ ବିକାଶ କାମର ଶିଳାନ୍ୟାସ କରିଥିଲେ । ଏଥିରେ ଦୁଇ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ଉଦ୍ୟମ ଦ୍ବାରା ମାଙ୍କ ପୀଠର ମହିମା ଆହୁରି ବଢିବା ସହ ପର୍ଯ୍ୟଟନର ମଧ୍ୟ ବିକାଶ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ୫-ଟି ଉପକ୍ରମ ଅଧୀନରେ ମାଙ୍କର ଏହି ପୀଠର ବିକାଶ କାମ ଆରମ୍ଭ କରାଯାଇଛି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମା ମାଣେକେଶ୍ବରୀଙ୍କ ଆଶୀର୍ବାଦ ଓ ଜିଲ୍ଲାବାସୀଙ୍କ ଉଦ୍ୟମ ଯୋଗୁ କଳାହାଣ୍ଡି ଆଜି ବିକାଶର ନୂଆ ପରିଚୟ ନେଇ ଆଗକୁ ବଢୁଛି । କଳାହାଣ୍ଡିର ଚାଷୀ ଆଜି ସାରା ଦେଶକୁ ଖାଦ୍ୟ ଯୋଗାଉଛି । କଳାହାଣ୍ଡି କପାର ଚାହିଦା ବଢିଛି । ଶିଳ୍ପ ନୂଆ ସୁଯୋଗ ଆଣିଛି । ଭିତ୍ତିଭୂମି ମଜବୁତ ହୋଇଛି । କଳାହାଣ୍ଡି ୟୁନିଭରସିଟି, ସରକାରୀ ମେଡିକାଲ କଲେଜ, ସରକାରୀ ଇଂଜିନିୟରିଂ କଲେଜ ଆଜି କଳାହାଣ୍ଡି ଯୁବସମାଜ ପାଇଁ ନୂଆ ପରିଚୟ ଆଣିଛି । ବିଜୁଳି ଯୋଗାଣରେ ମଧ୍ୟ ଉନ୍ନତି ଆସିଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କଳାହାଣ୍ଡିକୁ ସେ ସ୍ବତନ୍ତ୍ର ଗୁରୁତ୍ବ ଦେଇଆସିଛନ୍ତି ଏବଂ ଚଳିତ ବର୍ଷ ଦୁଇ ଦୁଇ ଥର କଳାହାଣ୍ଡି ଯାଇ ବିକାଶ ଓ କଲ୍ୟାଣ କାମ ଆରମ୍ଭ କରିଛନ୍ତି । ବିକାଶ ପ୍ରତି କଳାହାଣ୍ଡିବାସୀଙ୍କର ଅକୁଣ୍ଠ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇବା ସହ ଲୋକଙ୍କ ଆସ୍ଥା ଓ ବିଶ୍ବାସକୁ ସାଥିରେ ଧରି ବିକାଶ ଧାରା ଆଗକୁ ବଢିବ ବୋଲି କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଶିଳ୍ପ, ଶକ୍ତି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ର ଉପପସ୍ଥିତ ରହି କଳାହାଣ୍ଡିର ବିଭିନ୍ନ କ୍ଷେତ୍ରରେ ଯେଉଁ ଉନ୍ନତି ସାଧିତ ହୋଇଛି, ତାହା ଉପରେ ଆଲୋକପାତ କରିଥିଲେ ।