ଚଳିତବର୍ଷ ୫ତାରିଖରେ ପାଳିତ ହେବ ବୈଶାଖ ପୂର୍ଣ୍ଣିମା । ସନାତନ ଧର୍ମରେ ବୈଶାଖ ପୂର୍ଣ୍ଣିମାର ବିଶେଷ ମହତ୍ୱ ରହିଛି । ଉଲ୍ଲେଖ ଅନୁଯାୟୀ ବୈଶାଖ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁଙ୍କ ୯ମ ଅବତାର ମହାତ୍ମା ବୁଦ୍ଧ ପ୍ରକଟ ହୋଇଥିଲେ । ଏହି କାରଣରୁ ବୈଶାଖ ପୂର୍ଣ୍ଣିମାକୁ ବୁଦ୍ଧ ପୂର୍ଣ୍ଣିମା କୁହାଯାଇଥାଏ । ମାନ୍ୟତା ଅନୁଯାୟୀ ଏହି ଦିନ ଦାନ କରିବା ସହ ଅନେକ ଧାର୍ମିକ କାର୍ଯ୍ୟ କରାଯାଇଥାଏ । ସବୁଠାରୁ ବଡ କଥା ହେଉଛି ଚଳିତବର୍ଷ ବୈଶାଖ ପୂର୍ଣ୍ଣିମାର ମହତ୍ତ୍ୱ ଅଧିକ ରହିଛି କାରଣ ଏଥର ପୂର୍ଣ୍ଣିମା ଦିନ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ବୈଶାଖ ପୂର୍ଣ୍ଣିମାର ମହତ୍ତ୍ୱ ଏବଂ ପୂଜାବିଧି ।
ହିନ୍ଦୁ ଧର୍ମଗ୍ରନ୍ଥ ଅନୁଯାୟୀ ଗୌତମ ବୁଦ୍ଧ ଭଗବାନ ବିଷ୍ଣୁଙ୍କ ନବମ ଅବତାର । ଏହିକାରଣରୁ ବୈଶାଖ ପୂର୍ଣ୍ଣିମା ଦିନ ଭଗବାନ ବୁଦ୍ଧଙ୍କ ସହ ଭଗବାନ ବିଷ୍ଣୁଙ୍କ ପୂଜା ମଧ୍ୟ କରାଯାଇଥାଏ । ଏହିଦିନ ଭଗବାନ ବିଷ୍ଣୁଙ୍କ ପୂଜା କରିବା ଦ୍ୱାରା ସମସ୍ତ ମନୋସ୍କାମନା ପୂରଣ ହେବା ସହ ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ ।
ପୌରାଣିକ ଉଲ୍ଲେଖ ଅନୁଯାୟୀ ଯେତେବେଳେ ସୁଦାମା ଭଗବାନ ଶ୍ରୀକୃଷ୍ଣଙ୍କୁ ସାକ୍ଷାତ କରିବା ପାଇଁ ଦ୍ୱାରିକାରେ ପହଞ୍ଚିଥିଲେ ସେତେବେଳେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ବୈଶାଖ ପୂର୍ଣ୍ଣିମାର ମହତ୍ତ୍ୱ ବୁଝାଇଥିଲେ । ଆହୁରି ମଧ୍ୟ କୁହାଯାଇଥାଏ ଏହି ବ୍ରତ ପାଳନ କରିବା ଦ୍ୱାରା ସୁଦାମାଙ୍କ ଦୁଃଖ ଦାରିଦ୍ର୍ୟତା ଦୂର ହୋଇଥିଲା । ସେବେଠାରୁ ଏହି ଦିନର ମହତ୍ତ୍ୱ ଆହୁରି ଅଧିକ ବଢିଯାଇଛି ।
ବୈଶାଖ ପୂର୍ଣ୍ଣିମା ପୂଜା-ବିଧି:
ଯେଉଁଲୋକମାନେ ବୈଶାଖ ପୂର୍ଣ୍ଣିମା ଦିନ ଉପବାସ କରୁଛନ୍ତି, ସେମାନେ ସେଦିନ ସୂର୍ଯେ୍ୟାଦୟ ପୂର୍ବରୁ ଉଠି କୌଣସି ପବିତ୍ର ନଦୀରେ ସ୍ନାନ କରନ୍ତୁ । ଯଦି ନଦୀରେ ଗାଧୋଇବା ସମ୍ଭବ ହେଉନାହିଁ ତେବେ ଘରେ ପାଣିରେ ଗଙ୍ଗାଜଳ ମିଶାଇ ସ୍ନାନ କରନ୍ତୁ । ସ୍ନାନ ସାରିବା ପରେ ସୂର୍ଯ୍ୟଙ୍କ ମନ୍ତ୍ର ଜପ କରି ଅର୍ଘ୍ୟ ଅର୍ପଣ କରନ୍ତୁ । ଏହାପରେ ପୂଜା ସ୍ଥାନରେ ଦୀପ ଲଗାଇ ବିଧି-ବିଧାନର ସହ ପୂଜା କରନ୍ତୁ । ଏଥିସହ ଏହିଦିନ ସଂନ୍ଧ୍ୟାରେ ଚନ୍ଦ୍ରଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ ।