ଯେଉଁଠି ଶୁଭ ଶଙ୍ଖରେ ହୁଏ ସକାଳ ଆଉ ସଞ୍ଜବତୀରେ ସନ୍ଧ୍ୟା । ଯେଉଁଠି କୋଟି କୋଟି ଲୋକଙ୍କ ମଉଡମଣି ମହାପ୍ରଭୁ ଜଗନ୍ନାଥଙ୍କ ଧାମ ଅଛି ଯେଉଁଠି ସଂସ୍କୃତି ପରମ୍ପରା ରହିଛି ଆଉ ଯାହାର ଇତିହାସ ପୃଷ୍ଠା ଓଲଟାଇଲେ ନିଜକୁ ଗର୍ବିତ ଲାଗେ ସେଇଟି ଆମ ଓଡିଶା । ଯେଉଁଠି ପେଟକଥା ବୁଝେ ପଖାଳ କଂସା ଯାହା ମାଟି ଉପରେ ପଖାଳ ଗଣ୍ଡାଏ ଖାଇଲେ ଶାନ୍ତି ମିଳେ ଯାହାର ଭାଷା ମିଠା ସେହି ଆମ ପ୍ରିୟ ଓଡିଶା । ନଅଙ୍କ ଦୁର୍ଭିକ୍ଷଠୁ ନେଇ ମହାବାତ୍ୟା ସବୁ ଦୁଃଖକୁ ସହିଛି ଆଉ ମୁକାବିଲା ବି କରିଛି ସେ ହେଉଛି ଏ ମାଟି ।
ଆଜି ହେଉଛି ୮୬ ତମ ଉତ୍କଳ ଦିବସ । ୧୯୩୬ ମସିହା ଆଜିର ଦିନରେ ନୂଆ ପରିଚୟ ପାଇଥିଲା ଓଡିଶା । ନବଗଠିତ ରାଜ୍ୟ ଭାବେ ଦେଶର ମାନଚିତ୍ରରେ ଶୋଭା ପାଇଥିଲା ଉତ୍କଳ ପ୍ରଦେଶ । ଏହି ସ୍ମୃତିରେ ପ୍ରତିବର୍ଷ ଆଜିର ଦିନକୁ ଉତ୍କଳ ଦିବସ ରୂପେ ପାଳନ କରାଯାଇଥାଏ । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡିଶା ଭାରତର ପ୍ରଥମ ରାଜ୍ୟ । ଚଳିତ ବର୍ଷ ମହା ଆଡମ୍ବରରେ ପାଳନ ହେବ ଉତ୍କଳ ଦିବସ । ସାରା ରାଜ୍ୟରେ ସାମୂହିକ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରିବେ ରାଜ୍ୟବାସୀ ।
୧୫୬୮ ମସିହାରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତି ଅପ୍ରାଣ ପ୍ରାଣେ ଚେଷ୍ଟା କରିଆସୁଥିଲେ । ସେମାନଙ୍କ ନେତୃତ୍ବରେ ବିଭିନ୍ନ ପ୍ରାନ୍ତରେ ଆନ୍ଦୋଳନ ତେଜିଲା।
୧୮୭୫ରେ ବାଲେଶ୍ବରର ରାଜା ଶ୍ୟାମାନନ୍ଦ ଦେ ଓ ଜାତିପ୍ରେମୀ ବିଚିତ୍ରାନନ୍ଦ ଦାସ ଗଭର୍ଣ୍ଣରକୁ ସାକ୍ଷାତ କରି ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ଦିଗରେ ପଦକ୍ଷେପ ନେବା ପାଇଁ ଏକ ସ୍ମାରକ ପତ୍ର ଦେଇଥିଲେ ।ତାହା ଥିଲା ସ୍ବତନ୍ତ୍ର ପ୍ରଦେଶ ଗଠନ ଦିଗରେ ପ୍ରଥମ ଦାବିପତ୍ର। ୧୮୮୨ ରେ ଉତ୍କଳଗୌରବ ମଧୁସୂଦନ କୋଲକାତା ଛାଡି ଓକିଲାତି କରିବା ପାଇଁ କଟକ ଆସିଥିଲେ । ସେ ଓଡିଶାର ଦୟନୀୟ ସ୍ଥିତି ଦେଖି ସ୍ବତନ୍ତ୍ର ପ୍ରଦେଶ ଗଠନ ନିମନ୍ତେ ଚିନ୍ତା କରିଥିଲେ ।ସେତେବେଳେ ସକ୍ରିୟ ଥିଲେ ପ୍ରଥମ ଓଡିଆ ସମ୍ବାଦ ପତ୍ର ଉତ୍କଳଦୀପିକାର ପ୍ରତିଷ୍ଠାତା କର୍ମବୀର ଗୌରୀଶଙ୍କର ରାୟ । ମଧୁସୂଦନ ତାଙ୍କ ସହ ଯୋଗଦେବା ପରେ ଗଠିତ ହୋଇଥିବା ଉତ୍କଳ ସଭା । ଶେଷର ତୀବ୍ର ଆନ୍ଦୋଳନ ପ୍ରତିବାଦ ହିଁ ଓଡିଶାକୁ ଏକ ସ୍ବତନ୍ତ୍ର ରାଜ୍ୟ ଭାବେ ଗଢି ତୋଳିଥିଲା ।
ପ୍ରଥମେ ଓଡିଶା ୬ଟି ଜିଲ୍ଲା କଟକ, ପୁରୀ, ବାଲେଶ୍ବର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ନିର୍ମାଣ ହେଲା । ୧୯୯୨ ମସିହାରେ ଓଡିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ ଟି ଜିଲ୍ଲାରେ ଭାଗ କରାଗଲା । ସାର୍ ଅଷ୍ଟିନ ହବାକ ଓଡିଶାର ପହିଲା ରାଜ୍ୟପାଳ ଭାବରେ ଶପଥ ନେଇଥିଲେ ।
ଓଡିଶାକୁ ଏକ ସ୍ବତନ୍ତ୍ର ପ୍ରଦେଶ ଭାବେ ଗଠନ କିରବା ପାଇଁ ମହାପୁରୁଷମାନେ ବଳିଦାନ ଦେଇଥିଲେ । ହେଲେ ଆମ ଇତିହାସକୁ ଅନେକ ଯୁବପିଢି ଭୁଲିବାକୁ ବସିଲେଣି । ପାଶ୍ଚାତ୍ୟ ସଂସ୍କୃତି ଆପଣେଇବାକୁ ଲାଗିଲେଣି । ଉତ୍କଳ ଦିବସକୁ ଏପ୍ରିଲ ଫୁଲ କହି ମନାଉଛନ୍ତି । ପ୍ରତିଟି ଓଡିଆ ଭାବେ ଆମେ ଗର୍ବ ଅନୁଭବ କରୁ । ଏହି ଦିନ ଅବସରରେ ଜାତିର ଉନ୍ନତି ପାଇଁ ଛାତ୍ର ସମାଜ, ଯୁବଗୋଷ୍ଠୀ ସଂକଳ୍ପ ନେବା ଉଚିତ । ଆଉ ଆମେ ଓଡିଆ ବୋଲି କହିବାକୁ ଯେପରି କୁଣ୍ଠାବୋଧ ନ କରୁ । ଗର୍ବର ସହ କହିବା ଏ ମାଟି ଓଡିଶା, ଏ ଜାତି ଓଡିଆ ।