କିଲର ରେଞ୍ଜ ରୋଭର। ଦୁର୍ଘଟଣା କରି ଯୁବତୀଙ୍କ ଜୀବନ ନେଲା । ଅନ୍ୟଜଣେ ଗୁରୁତର ହୋଇ ଜୀବନ ସହ ସଂଗ୍ରାମ କରୁଛି । ଗତ ୩୧ ତାରିଖ ଭୁବନେଶ୍ୱର ପାୱାର ହାଉସ ଛକରେ ରେଞ୍ଜ ରୋଭର ଗାଡି ଧକ୍କା ରେ ଗୁରୁତର ଥିବା ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଲୋପମୁଦ୍ରା ସାହୁ । ସେପଟେ ରେଞ୍ଜରୋଭର ପ୍ରତି ପୋଲିସର ଅନୁକମ୍ପା କୁ ନେଇ ଉଠିଛି ପ୍ରଶ୍ନ ।
ଜୟଦେବ ବିହାର ପଟୁ ଦ୍ରୁତ ଗତିରେ ଆସୁଥିଲା OD 33AF 6726 ନମ୍ବର ବିଶିଷ୍ଟ ଏକ କଳାରଙ୍ଗର ରେଞ୍ଜ ରୋଭର । ପାୱାର ହାଉସ ଛକ ଅତିକ୍ରମ କରୁଥିବା ଏକ ବାଇକକୁ ଧକ୍କା ଦେଇଥିଲା ରେଞ୍ଜ ରୋଭର । ଚଳନ୍ତା ବାଇକରୁ ଛିଟିକି ପଡ଼ିଥିଲେ ବାଇକରେ ବସିଥିବା ଜଣେ ଯୁବକ ଓ ଯୁବତୀ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ତୁରନ୍ତ ନେଇ ଭର୍ତ୍ତି କରାଯାଇଥିଲା କ୍ୟାପିଟାଲ ହସ୍ପିଟାଲରେ । ଯୁବତୀଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥଥିଲା । ଯେଉଁଠି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଯୁବତୀ ହେଲେ ଲୋପାମୁଦ୍ରା ସାହୁ । ଆହତ ଯୁବକ ହେଲେ ଅବସରପ୍ରାପ୍ତ CISFଯବାନ କାହ୍ନୁଚରଣ ନାୟକ। ଲୋପାମୁଦ୍ରାଙ୍କ ଘର ଯାଜପୁର ବରୀ ଅଞ୍ଚଳରେ । ସେ ଭୁବନେଶ୍ୱରରୁ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ସମାପ୍ତ କରି ଚାକିରି ସନ୍ଧାନରେ ଥିଲେ ।…
କେତେ ଜୋରରେ ରେଞ୍ଜ ରୋଭର ସ୍କୁଟିକୁ ଧକ୍କା ଦେଇଥିଲା ଯେ ତାର ଆଗପଟ ବେଲୁନ୍ ବାହାରି ଆସିଥିଲା । ସମ୍ମୁଖ ପଟ ନମ୍ବର ପ୍ଲେଟ୍ ମଧ୍ୟ ଭାଙ୍ଗିଯାଇଥିଲା । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ପାୱାର ହାଉସ୍ ଛକରେ ଦ୍ରୁତ ଗତିରେ ମାଡ଼ି ଆସିଥିଲା ରେଞ୍ଜ ରୋଭର । ଦୁର୍ଘଟଣା ପରେ ଗାଡ଼ି ଜବତ କରିବା ସହ ଚାଳକକୁ ଗିରଫ କରିଥିଲା କ୍ୟାପିଟାଲ ଥାନା ପୋଲିସ । ଏହି ଦୁର୍ଘଟଣା ପରେ ଦାମୀ ରେଞ୍ଜ ରୋଭର ଗାଡ଼ି କାହାର ତାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ପୋଲିସ ଜାରି କରିଥିଲା ପ୍ରେସ୍ ରିଲିଜ । ଯେଉଁଥିରେ ପୋଲିସ ଉଲେଖ କରିଥିଲା ଜବତ ଗାଡ଼ିର ନମ୍ବର ହେଉଛି OD 33 AF 6726 । କିନ୍ତୁ ଦୁର୍ଘଟଣା ସମୟରେ ଗାଡ଼ି ନମ୍ବର ଥିଲା OD 23K 0006 । କାହିଁକି ଗାଡ଼ିର ନମ୍ବର ପ୍ଲେଟ୍ ବଦଳାଯାଇଥିଲା, ତାକୁ ନେଇ ସସପେନ୍ସ ଜାରି ରହିଛି ।
ଦୁର୍ଘଟଣା ଘଟାଇଥିବା ଏହି କିଲର ରେଞ୍ଜ ରୋଭର ଗାଡିକୁ ନେଇ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ଗତ ଜୁନ 15 ତାରିଖରେ ଦ୍ରୁତ ଗତିରେ ଗାଡି ଚାଳନା ଯୋଗୁଁ କଟକ ଜଗତପୁରରେ 2000 ଟଙ୍କା ଫାଇନ ଭରିଥିଲେ ଚାଳକ । ସେତେବେଳେ ଗାଡ଼ିର ଘଣ୍ଟା ପ୍ରତି ବେଗ ଥିଲା ୯୪ କିଲୋମିଟର ।