କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ବିଜେଡିରୁ ୩ ପ୍ରମୁଖ ପ୍ରାର୍ଥୀ ସେମାନଙ୍କ ମନୋନୟନପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ସବୁଠୁ ଚର୍ଚ୍ଚିତ ଆସନ ୮ ନମ୍ବର ଜୋନ୍ ଓ ୧୫ ନମ୍ବର ଜୋନ୍ ର ଦୁଇ ପାର୍ଥୀ ଓ ପ୍ରାର୍ଥିନୀ । ବିଧାୟକ ଶୀଭୂଷଣ ବେହେରା ଅସୁସ୍ଥ ଥାଇ ମଧ୍ୟ ନିଜେ ଏହି ପ୍ରମୁଖ ପ୍ରାର୍ଥୀମାନଙ୍କ ପ୍ରାର୍ଥୀପତ୍ର ଦାଖଲରେ ସାମିଲ ହୋଇଛନ୍ତି । କେନ୍ଦ୍ରାପଡାର ଏହି ୮ ନମ୍ବର ଜୋନ୍ ପାଇଁ ସାରା ଜିଲ୍ଲାର ଆଖି ରହିଥିଲା । ୧୦ ଜଣ ଆଶାୟୀ ଏହି ଜୋନ୍ ରୁ ଟିକେଟ ଦୌଡରେ ରହିଥିଲେ । ଶେଷରେ ଦଳର ବରିଷ୍ଠ ସଦସ୍ୟ ଭଜକୃଷ୍ଣ ରାଉତଙ୍କ ପୁଅ ରଶ୍ମୀରଞ୍ଜନ ରାଉତ ଦଳ ଟିକେଟ ନେଇ ବାଜି ମାରିଛନ୍ତି । ଏହି ଜୋନ୍ ରୁ ବିଶିଷ୍ଟ ନାରୀନେତ୍ରୀ ଜ୍ୟୋତ୍ସାରାଣୀ ଜେନା ଜିଲ୍ଲା ପରିଷଦର ସଦସ୍ୟା ଏବେ ରହିଛନ୍ତି । ଜ୍ୟୋତ୍ସାରାଣୀ ଏହି ଆସନରୁ ପ୍ରମୁଖ ଦାବିଦାର ଥିଲେ । ଏହି ଜୋନ୍ ଟି ଅଣସଂରକ୍ଷିତ ରହିଥିବାରୁ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଶିବପ୍ରସାଦ ଭଳ ମଧ୍ୟ ଏହି ଜୋନ୍ ରୁ ପ୍ରାର୍ଥୀ ହେବାକୁ ରାଜ୍ୟ ନେତୃତ୍ୱଙ୍କ ଶରଣ ନେଇଥିଲେ । ଅନ୍ୟ ଆଶାୟୀମାନେ ନିଜ ନିଜ ଉଦ୍ୟମ ଲଗାଇଦେଇଥିଲେ । ଶେଷରେ ରଶ୍ମୀରଞ୍ଜନ ରାଉତ ଦଳ ଟିକେଟ ପାଇ ନିର୍ବାଚନ ମୈଦାନକୁ ଓଲ୍ହାଇଛନ୍ତି । ସେହିପରି ଏଥର କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ପଦ ଦଳିତ ମହିଳା ପ୍ରାର୍ଥିନୀଙ୍କ ପାଇଁ ସଂରକ୍ଷିତ ହୋଇଛି । ଦଳ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ପଟ୍ଟାମୁଣ୍ଡାଇ ବ୍ଲକ ତରଡିପାଳ ପଞ୍ଚାୟତର ସରପଞ୍ଚ ପ୍ରିୟଦର୍ଶିନୀ ତରାଇଙ୍କୁ ପ୍ରାର୍ଥୀନୀ କରାଇ ତାଙ୍କୁ ଜିଲ୍ଲା ପରିଷଦର ଅଧ୍ୟକ୍ଷା କରିବାର ଯୋଜନା କରିଛି । କିନ୍ତୁ ଏଥର କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ୫ଟି ଯାକ ଜିଲ୍ଲା ପରିଷଦ ଜୋନ୍ ରୁ ପ୍ରାର୍ଥିମାନେ ଜିଣି ରେକର୍ଡ କରିବେ ବୋଲି କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି ।