କେନ୍ଦ୍ରାପଡା ଜିଲ୍ଲାରେ ବିଭିର୍ନ ସମସ୍ୟା ଲାଗି ରହିଛି । ବାରମ୍ବାର ଦାବି ସତ୍ୱେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଜିଲ୍ଲାର ସମସ୍ତ ସମସ୍ୟାର ସମାଧାନ ପାଇଁ ଆଜି ଆଗକୁ ଆସିଛି ସ୍ଵାଭିମାନୀ କେନ୍ଦ୍ରାପଡା । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ବିକ୍ଷୋଭ କରିଛି ମଂଚ । ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ସ୍ଵାଭିମାନୀ କେନ୍ଦ୍ରାପଡା। ଦାବୀ ପୁରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓଲ୍ହାଇବ ବୋଲି କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି। ସ୍ଵାଭିମାନୀ କେନ୍ଦ୍ରାପଡା ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଲୋକେ ସରକାରୀ ହସପିଟାଲରେ ଆବଶ୍ୟକୀୟ ସୁବିଧା ସୁଯୋଗ ପାଉ ନ ଥିବାରୁ ଘରୋଇ ହସପିଟାଲ ଉପରେ ନିର୍ଭର କରୁଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି। ଫଳରେ ଚିକିତ୍ସା ସେବା ବାଧାପ୍ରାପ୍ତ ହେଉଛି । ସେହିପରି କେନ୍ଦ୍ରାପଡା ପୌରାଚଂଳ ସମେତ ସମଗ୍ର ଜିଲ୍ଲାରେ ରାସ୍ତାଘାଟ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । କେନ୍ଦ୍ରାପଡା ସହର ମଧ୍ୟରେ ଥିବା ମୁଖ୍ୟ ରାସ୍ତାଟି ବର୍ଷବର୍ଷ ଧର ମରାମତି ନ ହେବା ଯୋଗୁଁ ସାଧାରଣ ଯାତ୍ରୀ ନାନା ସମସ୍ୟା ଭୋଗ କରୁଛନ୍ତି । ଏହାବ୍ୟତୀତ କେନ୍ଦ୍ରାପଡା ପୌରାଚଂଳରେ ଆବର୍ଜନା ବା ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପୌରସଂସ୍ଥା ପକ୍ଷରୁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ । ସହରର ବିଭିନ୍ନ ସ୍ଥାନରେ କୁଢକୁଢ ଆବର୍ଜନା ଜମି ରହିବା ଦ୍ଵାରା ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି । ଜିଲ୍ଲାରେ ସବୁଜ ବଳୟ ସୃଷ୍ଟି କରିବା ସହ ପରିବେଶ ସୁରକ୍ଷା ଦିଗରେ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉ ନାହାନ୍ତି । ପ୍ରଶାସନ ପକ୍ଷରୁ ତୁରନ୍ତ ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓଲ୍ହାଇବ ବୋଲି ସ୍ଵାଭିମାନୀ କେନ୍ଦ୍ରାପଡା କହିଛି ।