ବ୍ରାହ୍ମଣୀ ନଦୀରେ ଦୁଇଟି ପୋଲ ନିର୍ମାଣ ପାଇଁ ଶୁଭ ଦେଲେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା । କେନ୍ଦ୍ରାପଡା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବ୍ରାହ୍ମଣୀ ନଦୀରେ ଧୂମାତ-ଅଳପୁଆ ଓ ଜଗନ୍ନାଥପୁର-ନୀଳକଣ୍ଠପୁର ଦୁଇଟି ପକ୍କା ପୋଲର ଶୁଭ ଦେଇଛନ୍ତି ବିଧାୟକ ବେହେରା । ଏହି ପୋଲ ନିର୍ମାଣ ହେଲେ ଯାଜପୁରର ବିରଜାକ୍ଷେତ୍ର ସହିତ କେନ୍ଦ୍ରାପଡାର ତୁଳସୀକ୍ଷେତ୍ରକୁ ସିଧାସଳଖ ସଂଯୋଗ ହୋଇପାରିବ । ଏହାଛଡା ବନ୍ୟା ଅଧ୍ୟୁସିତ ପଟ୍ଟାମୁଣ୍ଡାଇ ଧୋୟା ଅଞ୍ଚଳରେ ଯୋଗାଯୋଗର ବାଟ ଫିଟିପାରିବ ବୋଲି ବିଧାୟକ ବେହେରା ସୂଚନା ଦେଇଛନ୍ତି । ଅଳପୁଆ-ଧୂମାତ ସେତୁପାଇଁ ୯୬ କୋଟି ଟଙ୍କା ବ୍ୟୟ ଅଟକଳ ରହିଥିବାବେଳେ ଜଗନ୍ନାଥପୁର – ନୀଳକଣ୍ଠପୁର ସେତୁ ପାଇଁ ଖର୍ଚ୍ଚ ହେବ ୩୬ କୋଟି ଟଙ୍କା । ଏହି ସେତୁ ଦୁଇଟିର ଶିଳାନ୍ୟାସ ଗତ ଡିସେମ୍ବର ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନିଜେ ଭର୍ଚ୍ଚୁଆଲରେ କରିଥିବାବେଳେ ଆଜି ଏହି ଶିଳାକୁ ସ୍ଥାପନ କରିଛନ୍ତି ବିଧାୟକ । ଏହି ଦୁଇଟି ପୋଲ ଶେଷ ହେଲେ ଏହି ଅଞ୍ଚଳର ବିକାଶ ହୋଇପାରିବ ବୋଲି ସ୍ଥାନୀୟ ଜନସାଧାରଣ ଆଶାପ୍ରକାଶ କରିଛନ୍ତି ।