କେନ୍ଦ୍ରାପଡା ଜିଲ୍ଲାରେ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ପ୍ରକଳ୍ପ ଏବେ ଅଚଳ । କେତେକ ପ୍ରକଳ୍ପ ଭାଙ୍ଗିଯିବାକୁ ବସିଲାଣି । ଫଳରେ କେନ୍ଦ୍ର ସରକାରଙ୍କ କୋଟି କୋଟି ଟଙ୍କା ଏବେ ପାଣିରେ ପଡିବାକୁ ଯାଉଛି । ଅନେକ ପ୍ରକଳ୍ପର ନାମ ବି ବଦଳାଇ ଦିଆଗଲାଣି ବୋଲି କେନ୍ଦ୍ରାପଡା ଜିଲ୍ଲା ବିଜେପି ଅଭିଯୋଗ କରିଛି ।
ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଉପରେ ବିଷ ଓଗାଳିଛନ୍ତି । ସେ କହିଛନ୍ତି କି, ଜିଲ୍ଲାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କ ସାଂସଦ ପାଣ୍ଠିରୁ ନିର୍ମାଣ କରିଥିବା ପ୍ରାୟ ୩୦ ବିଶାଳ ପାଣି ଟାଙ୍କିରେ ଲେଖା ହୋଇଥିବା ପୂର୍ବତନ ସାଂସଦଙ୍କ ନାମ ଫଳକକୁ ଲିଭାଯାଇ ରାଜ୍ୟ ସରକାରଙ୍କ ବସୁଧା ପ୍ରକଳ୍ପ ଲେଖାଯାଉଛି । ଯାହା କି ତାଙ୍କ ପ୍ରତି ଏକ ଅପମାନ ସୂଚକ | ସାଂସଦଙ୍କ ପାଣ୍ଠିରୁ ବିଭିନ୍ନ ସ୍ଥାନରେ ନିର୍ମିତ ଷ୍ଟାଡିୟମଗୁଡିକ ରକ୍ଷଣାବେକ୍ଷଣା ଅଭାବରୁ ଭାଙ୍ଗିଯିବାକୁ ବସିଲାଣି । ଯାହାର ମରାମତି ହେଉନି କି ରଙ୍ଗ ମଧ୍ୟ କରାଯାଉନି । ଏହା ଛଡା ଜିଲ୍ଲା ମୁଖ୍ୟାଳୟରେ ବହୁ ମୂଲ୍ୟ ଟଙ୍କାରେ ନିର୍ମିତ ସଂସ୍କୃତି ଭବନରେ ଏପର୍ଯ୍ୟନ୍ତ କାହାର ପାଦ ପଡିଲାନି । ନବନିର୍ମିତ ସଂସ୍କୃତି ଭବନ ବ୍ୟବହାର ନ ହୋଇପାରି ଏବେ ଜରାଜୀର୍ଣ୍ଣ ହୋଇପଡିଲାଣି ବୋଲି ଅଭିଯୋଗ କରିଛି ଜିଲ୍ଲା ବିଜେପି । ଜିଲ୍ଲା ପ୍ରଶାସନ ଏସବୁ ସମସ୍ୟାର ସମାଧାନ ନ କଲେ ବିଜେପି ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ସତର୍କ କରିଦେଇଛି ।