ସ୍ମାର୍ଟ ହେଲଥ କାର୍ଡରେ ସାମିଲ ହେଲା କେନ୍ଦ୍ରାପଡ଼ା ଜିଲ୍ଲା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ରାପଡା ଟାଉନ୍ ହଲରେ ଆୟୋଜିତ ଭର୍ଚ୍ଚୁଆଲ କାର୍ଯ୍ୟକ୍ରମ ଜରିଆରେ ଲୋକାର୍ପିତ ହୋଇଛି । ଜିଲ୍ଲାର ୩ଲକ୍ଷ ୮ ହଜାର ହିତାଧିକାରୀ ଏହି BSKY ସ୍ମାର୍ଟକାର୍ଡ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଜିଲ୍ଲାରେ ୧୫ ଶହ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ରାପଡା ଜିଲ୍ଲାର ୫୪ଟି ପ୍ରକଳ୍ପ ଗୁଡିକର ଲୋକାର୍ପଣ ହୋଇଥିବାବେଳେ ୧୦୬ଟି ପ୍ରକଳ୍ପ ଭିତିପ୍ରସ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୨୦ କୋଟି ୭୧ ଲକ୍ଷ ଟଙ୍କାର ପ୍ରକଳ୍ପ ଉଦଘାଟିତ ହୋଇଥିବାବେଳେ ୧୩୬୦ କୋଟି ୬୦ ଲକ୍ଷ ଟଙ୍କାର ପ୍ରକଳ୍ପ ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ନବୀନ କହିଛନ୍ତି, ବିଜୁ ବାବୁଙ୍କ କର୍ମଭୂମି ଥିଲା କେନ୍ଦ୍ରାପଡ଼ା । ଆଜି ବି କେନ୍ଦ୍ରାପଡ଼ାର ମାଟି, ପାଣି ଓ ପବନରେ ବିଜୁ ବାବୁ ରହିଛନ୍ତି । ଏବେ କେନ୍ଦ୍ରାପଡ଼ା ଦେଶର ଇଣ୍ଡଷ୍ଟ୍ରି ମ୍ୟାପରେ ଯୋଡି ହେବାକୁ ଯାଉଛି । ଏହା କେନ୍ଦ୍ରାପଡ଼ାକୁ ବିକାଶ ପଥରେ ଆଗେଇ ନେବ । କେନ୍ଦ୍ରାପଡା ଟାଉନ ହଲରେ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ସ୍ବସ୍ଥ୍ୟମନ୍ତ୍ରୀ ନବ ଦାସ , କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ଚଳଚିତ୍ର ଅଭିନେତା ତଥା ବିଜେଡି ନେତା କୁନା ତ୍ରିପାଠୀ, କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅନୀତା ପଟ୍ଟନାୟକ ଓ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଯୋଗଦେଇଥିଲେ । କେନ୍ଦ୍ରାପଡା ଜିଲ୍ଲାରେ ଏକ ମେଡିକାଲ କଲେଜ କରାଯିବାର ଯେଉଁ ଦାବି ହୋଇଥିଲା ସେ ପ୍ରସଙ୍ଗକୁ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏଡାଇ ଦେଇଛନ୍ତି ।