ଇପିଏଫ୍ ପେନସନଧାରୀମାନଙ୍କ ପେନସନ୍ ହାରକୁ ୧ ହଜାର ଟଙ୍କାରୁ ୯ ହଜାର ଟଙ୍କାକୁ ବୃଦ୍ଧି କରିବାକୁ କେନ୍ଦ୍ରାପଡା ଜିଲ୍ଲା ଇପିଏଫ୍ ପେନସନ ଭୋଗୀଙ୍କ ବାର୍ଷିକ ସମ୍ମିଳନୀରେ ଦାବି ଉଠିଛି । କେନ୍ଦ୍ରାପଡା ଜିଲ୍ଲା ଇପିଏଫ୍ ପେନସନଭୋଗୀ ସଙ୍ଘର ସଭାପତି ବସନ୍ତ ଦାସଙ୍କ ଅଧ୍ୟକ୍ଷତାରେ ବଳଦେବଜୀୟୁଙ୍କ ଗୁଣ୍ଡିଚା ମନ୍ଦିରରେ ଅନୁଷ୍ଠିତ ହୋଇଛି ଏହି ବାର୍ଷିକ ସମାବେଶ । ଏହି ସମାବେଶରେ ଶ୍ରମିକ ନେତା ଶ୍ରୀରାମ ଦାଶ, ଇପିଏଫ୍ ପେନସନ ସଙ୍ଘ ଜିଲ୍ଲା ସମ୍ପାଦକ ଲୋକନାଥ ରାଉତ, ଖୋର୍ଦ୍ଧା ଜିଲା ସଂଘର ସମ୍ପାଦକ ମାୟାଧର ମଲ୍ଲିକ, ଉପସଭାପତି ସଚୀଦାନନ୍ଦ ସାମନ୍ତରାୟ, କଟକ ଜିଲ୍ଲା ସଭାପତି ରାଜକିଶୋର ସ୍ବାଇଁ, ଜଗତସିଂହପୁର ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି ଆଦି ବିଭିନ୍ନ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ନେତାମାନେ ଯୋଗଦେଇଥିଲେ । ପେନସନ ୧ ହଜାର ଟଙ୍କାରୁ ୯ ହଜାର ଟଙ୍କାକୁ ବୃଦ୍ଧି କରିବା ସହିତ ମହଙ୍ଗା ଭତ୍ତା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟବୀମା ଯୋଜନାରେ ସମସ୍ତ ଇପିଏଫ୍ ପେନସନଧାରୀଙ୍କୁ ସାମିଲ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ହୋଇଛି । ଏହାଛଡା ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ପେନସନ ହାରକୁ ବୃଦ୍ଧି କରିବାକୁ ଦାବି କରାଯାଇଛି । ଏହି ପେନସନ ବୃଦ୍ଧି ପାଇଲେ ସାରା ଦେଶରେ ୬୭ ଲକ୍ଷ ଓ ରାଜ୍ୟରେ ଥିବା ୧ଲକ୍ଷ ୬୨ ହଜାର ପେନସନଭୋଗୀ ଏହାର ଲାଭ ପାଇପାରିବେ ବୋଲି କୁହାଯାଇଛି ।