କେନ୍ଦ୍ରାପଡା ଜିଲ୍ଲା ବିଜେପି ସମ୍ପାଦକଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ଅଭିଯୁକ୍ତ ଏସ.ପି.ଅଫିସ ଜନୈକ ଷ୍ଟେନୋ ଓ ତାଙ୍କ ଦାଦାଙ୍କୁ ଅଟକ ରଖିଛି ପୋଲିସ । ପାଟକୁରା ଥାନା ଅନ୍ତର୍ଗତ ବଙ୍ଗାଳପୁର ପଞ୍ଚାୟତର ଚଁପୁର ହାଟ ନିକଟରେ ଘଟିଛି ଏହି ଘଟଣା । ଜିଲ୍ଲା ବିଜେପି ସମ୍ପାଦକ ତଥା ପୂର୍ବତନ ସରପଞ୍ଚ ପ୍ରଜେଶ ରଞ୍ଜନ ନାୟକଙ୍କ ଗୋଡ଼ରେ ପୂର୍ବରୁ ଆଘାତ ଲାଗିଥିବା ବେଳେ ଚଁପୁର ହାଟ ନିକଟସ୍ଥ ଏକ ଔଷଧ ଦୋକାନରୁ ଔଷଧ ଆଣିବା ପାଇଁ ଯାଇଥିଲେ । ସେଠାରେ କେନ୍ଦ୍ରାପଡ଼ା ଏସ୍.ପି.ଅଫିସ କ୍ରାଇମ୍ ବ୍ରାଞ୍ଚ ଷ୍ଟେନୋ ଶାରଦା ସାମଲ ଓ ନୃସିଂହ ସାମଲ ଔଷଧ ଦୋକାନ ସମ୍ମୁଖରେ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରୁଥିଲେ । ପ୍ରଜେଶ ପହଁଞ୍ଚି କ’ଣ ହେଇଚି , ଏମିତି ଖରାପ ଭାଷାରେ କାହିଁକି କାହାକୁ ଗାଳିଗୁଲଜ କରୁଛ ବୋଲି କହିବା ପରେ ଅତର୍କିତ ଭାବରେ କଟୁରୀ ଓ ଭୁଜାଲି ସାହାଯ୍ୟରେ ଦୁଇତିନି ଜଣ ଆକ୍ରମଣ କରିଥିଲେ । ତାଙ୍କର ଡାହାଣ ହାତ, ବାମ ଆଙ୍ଗୁଠି ଓ ଗୋଡରେ କ୍ଷତ ସୃଷ୍ଟି ହୋଇ ରକ୍ତସ୍ରାବ ହୋଇଥିଲା । ସ୍ଥାନୀୟ ଲୋକମାନେ ପାଟିତୁଣ୍ଡ କରି ପହଁଞ୍ଚିବା ପରେ ସେମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ । ଗୁରୁତର ଆହତ ଅବସ୍ଥାରେ ପ୍ରଜେଶଙ୍କୁ ପାଟକୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯିବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ଏନେଇ ପାଟକୁରା ଥାନାରେ ଏକ ଅଭିଯୋଗ କରାଯାଇଥିବା ବେଳେ ଥାନାଧିକାରୀ ସୁଜିତ୍ କୁମାର ପ୍ରଧାନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ ଶାରଦା ସାମଲ ଓ ତାଙ୍କ ଦାଦା ନୃସିଂହ ସାମଲଙ୍କୁ ଗିରଫ କରିଥିଲେ । ଏବଂ ଅନ୍ୟଜଣେ ଅଭିଯୁକ୍ତ ସରୋଜ ସାମଲ ଫେରାର ଥିବା ପୋଲିସ ସୂଚନା ଦେଇଛି ।
#kendrapara #NNSODIA