କେନ୍ଦ୍ରାପଡା ପୌରସଂସ୍ଥାର ଅଳିଆ ଆବର୍ଜନା ଓ ପଚାଷଢା ଜିନିଷ ଏବେ ପଞ୍ଚାୟତ ଲୋକଙ୍କ ପାଇଁ ସମସ୍ୟା ହୋଇଛି । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟାଳୟକୁ ସଂଯୋଗ କରୁଥିବା କପାଳେଶ୍ବର ପଞ୍ଚିୟତର ଆଳିଜଙ୍ଗା ଓ ଓସ୍ତପୁର ପଞ୍ଚାୟତର କଦଳୀବାଡି ମୁଖ୍ୟ ରାସ୍ତାରେ ପଡୁଛି କେନ୍ଦ୍ରାପଡା ପୌରସଂସ୍ଥାର ବର୍ଯ୍ୟବସ୍ତୁ । ମଲା ଛେଳି, କୁକୁର, ଗାଇ ବାଛୁରି , ଲାଟ୍ରିନ ସଫାର ମଇଳାକୁ ଏହି ରାସ୍ତାରେ ଢାଳିଦେଇ ଯାଉଛି ପୌରସଂସ୍ଥା । କେନ୍ଦ୍ରାପଡା ପୌରାଞ୍ଚଳର ଶେଷ ଭାଗ ହଜାରୀ ବଗିଚାକୁ ସଂଯୋଗକରୁଛି ଦୁଇ ପଞ୍ଚାୟତର ଆଳିଜଙ୍ଗା, ବାଣେଶ୍ବରପୁର, କଦଳୀବାଡି , ଚକଡା ବାରଙ୍ଗ, ନାଗପୁର, ଦେପୁର, ସାରଙ୍ଗ ଆଦି ଗାଁ । ଏହି ସବୁ ଗ୍ରାମର ହଜାରହଜାର ଲୋକଙ୍କ ଜିଲ୍ଲା ସଦରମହକୁମାକୁ ଏକମାତ୍ର ସଂଯୋଗ ମୁଖ୍ୟ ରାସ୍ତା ହଜାରିବଗିଚା ରାସ୍ତା । ଏହି ରାସ୍ତା କଡରେ ପୌର ସଂସ୍ଥା ଏକ ପାଚେରୀ ଘେରା ଆବଦ୍ଧ ସ୍ଥାନ ନିର୍ମାଣ କରିଛି । ଏହି ଆବଦ୍ଧ ସ୍ଥାନରେ ପୌରସଂସ୍ଥାର ଅଳିଆ ଆବର୍ଜନାକୁ ପକାଯାଇଥାଏ । ହେଲେ ଏବେ କିଛିଦିନ ହେବ ଏହି ଆବର୍ଜନା ଗୁଡିକୁ ପୌରସଂସ୍ଥା ରାସ୍ତା ଉପରେ ଗଦା କରୁଥିବାରୁ ଏହା ହଜାରହଜାର ପଞ୍ଚାୟତବାସୀଙ୍କୁ ଦୁର୍ଗନ୍ଧରେ ପୋତି ଦେଉଛି । ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଆସୁଥିଲେ ମଧ୍ୟ କେହି ଶୁଣିବାକୁ ନାହାନ୍ତି । ପ୍ରଧାନମନ୍ତ୍ରୀଙ୍କ ସ୍ବଚ୍ଛଭାରତ ଯୋଜନାକୁ ଏଠାରେ ନିଜେ ସରକାର ଉଲଙ୍ଘନ କରି ହଜାରହଜାର ଲୋକଙ୍କ ଜୀବନ ସହ ଖେଳଖେଳୁଥିବା ଅଭିଯୋଗ ହୋଇଛି ।
#kendrapara #nnsodia