ଏନଏନଏସ୍: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେତୁ କେଦାରନାଥ ଯାତ୍ରା ବନ୍ଦ କରିଦିଆଯାଇଛି। ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିବାରୁ ରାସ୍ତା ସବୁ ଭାଙ୍ଗିଯାଇଛି। ଏହି କାରଣରୁ ଟ୍ରାଫିକ୍ ବ୍ୟବସ୍ଥା ପ୍ରଭାବିତ ହୋଇଛି। ଏଥିସହ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଜାରି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରକାଶ ପାଇଛି।
ଅନ୍ୟପଟେ ଲଗାତାର ବର୍ଷା ଯୋଗୁଁ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୋନପ୍ରୟାଗ ଏବଂ ଗୌରୀକୁଣ୍ଡରେ କେଦାରନାଥ ଧାମକୁ ଯାଉଥିବା ଯାତ୍ରୀଙ୍କୁ ଅଟକାଇଦିଆଯାଇଛି। ଖବର ଅନୁଯାୟୀ, ପ୍ରବଳ ବର୍ଷା ହେତୁ ମନ୍ଦାକିନୀ ଏବଂ ଆଲାକାନନ୍ଦ ନଦୀର ଜଳସ୍ତର ବଢିବାରେ ଲାଗିଛି। ଏନେଇ ଜୁଲାଇ ୧୨ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।