ମୁମ୍ବାଇରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ମାମଲା ବଢିବାରେ ଲାଗିଛି । ମହାରାଷ୍ଟ୍ରରେ ଶୁକ୍ରବାର ୧୭ଟି ଓମିକ୍ରନ୍ ମାମଲା ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢି ଯାଇଛି । ଫଳରେ ଗତ ୨ ଦିନ ହେଲା ରାଜ୍ୟ ସରକାରଙ୍କ ପକ୍ଷରୁ ମୁମ୍ବାଇରେ ୧୪୪ ଧାରା ଜାରି କରାଯାଇଥିଲା । ଅନ୍ୟପକ୍ଷରେ ବଲିଉଡ୍ର ଆଗଧାଡିର ଅଭିନେତ୍ରୀ କରୀନା କପୁର ଖାନ ଏବଂ ଅମ୍ରିତା ଆରୋରା କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ବମ୍ବେ ମ୍ୟୁନିସପାଲ କର୍ପୋରେସନ୍ରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିନେତ୍ରୀ କରୀନା କପୁର ଖାନ ଏବଂ ଅମ୍ରିତା ଆରୋରା କରୋନାର ସୁପରସ୍ପ୍ରେଡର ହେବାର ମଧ୍ୟ ସମ୍ଭାବନା ରହିଛି । ଏହି ଦୁଇ ଅଭିନେତ୍ରୀ ବହୁତ ଭଲ ସାଙ୍ଗ ଏବଂ ସେମାନେ ପ୍ରତ୍ୟେକ ଦିନ ବହୁ ଅଭିନେତା ଓ ଅଭିନେତ୍ରୀଙ୍କ ସଂସ୍ପର୍ଶରେ ଆସିଥାନ୍ତି । ଏହାବ୍ୟତୀତ ଏହି ଦୁଇ ସାଙ୍ଗ ବଲିଉଡ୍ର ଅନେକ ପାର୍ଟିରେ ମଧ୍ୟ ନଜର ଆସିଛନ୍ତି । ବିଏମସ୍ସି ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରିବା ଆରମ୍ଭ କରିଦେଇଛି । ସେମାନଙ୍କ ସହ ଯୋଗାଯୋଗରେ ଥିବା ଅନ୍ୟ କେତେଜଣ ଆଗ ଧାଡିର କଳାକାରଙ୍କ ରିପୋର୍ଟ ଆଜି ଆସିପାରେ । ଏହି ଦୁଇଜଣ ପଜେଟିଭ୍ ଚିହ୍ନଟ ହେବା ପରେ ବଲିଉଡରେ ଆତଙ୍କ ଖେଳିଗଲାଣି । ତେବେ କରୀନା କପୁର ଏବଂ ଅମ୍ରିତା ଆରୋରା ବ୍ୟତୀତ ମଲ୍ଲାଇକା ଆରୋରା ଏବଂ କରିସ୍ମା କପୁର ଅନେକ ସମୟରେ ପାର୍ଟିରେ ନଜର ଆସନ୍ତି । ତେଣୁ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ବଲିଉଡ୍ ଷ୍ଟାର୍ସ କରୋନା ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି ।