କାନପୁରର ଅତର ବ୍ୟବସାୟୀ ପୀୟୁଷ ଜୈନଙ୍କ ଘରେ ଆୟକର ବିଭାଗ ପକ୍ଷରୁ ୩୬ ଘଣ୍ଟା କାଳ ଚଢାଉ କରାଯାଇଥିଲା । ଏହି ଦୀର୍ଘକାଳୀନ ଚଢାଉ ପରେ ତାଙ୍କ ଘରୁ ମିଳିଛି ବସ୍ତା ବସ୍ତା ଟଙ୍କା ବିଡା । ପୀୟୁଷଙ୍କ ଘରୁ କେବଳ ୧୮୦ କୋଟି ଟଙ୍କା ନଗଦ ମିଳିଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଡିଜିଜିଆଇର ଅଧିକାରୀମାନେ ଚଢ଼ାଉ ଜାରି ରଖିଥିଲେ । ପ୍ରାୟ ୨୭ ଜଣ କର୍ମଚାରୀ ଏଥିରେ ନିୟୋଜିତ ହୋଇଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ ଟଙ୍କା ଗଣିବା ପାଇଁ ୧୯ ଟି ମେସିନ୍ ଅଣାଯାଇଥିଲା । ଏହିସବୁ ଟଙ୍କାକୁ ୮୦ଟି ବାକ୍ସରେ ରଖାଯାଇ କଣ୍ଟେନର୍ ରେ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ଶାଖାକୁ ପଠାଯାଇଥିଲା ।
ଖାଲି ସେତିକି ନୁହେଁ କନୌଜ ସ୍ଥିତ ପୀୟୁଷଙ୍କ ଘରୁ ୧ କୋଟି ଟଙ୍କାର ଗହଣା ମଧ୍ୟ ମିଳିଛି । ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଢ଼ାଉ ସମୟରେ ଗୋଟିଏ ଆଲମାରୀର ଚାବି ନ ମିଳିବାରୁ ହାତୁଡ଼ିରେ ତାଲା ଭଙ୍ଗାଯାଇଥିଲା । ସେଥିରୁ ୧ କୋଟି ଟଙ୍କାର ଗହଣା ଓ ୪ କୋଟି ଟଙ୍କା ମିଳିଥିବା ଜଣେ ଡିଜିଜିଆଇର ଅଧିକାରୀ କହିଛନ୍ତି । ଏହାବ୍ୟତୀତ ପୀୟୁଷ କାନ୍ଥ ଭିତରେ ଲୁଚାଇ ରଖିଥିବା ଟଙ୍କାକୁ ମଧ୍ୟ ଅଧିକାରୀ ମାନେ ଜବତ କରିଛନ୍ତି । ସାଧାରଣ କାନ୍ଥଠାରୁ କିଛି କାନ୍ଥ ଆଂଶିକ ଅଲଗା ଲାଗିବରୁ ସେମାନେ କାନ୍ଥକୁ ଭାଙ୍ଗିଥିଲେ । ସେ ସମୟରେ କାନ୍ଥରୁ ନୋଟ୍ ବଣ୍ଡଲ ଖସିବାକୁ ଲାଗିଲା ଓ ଏସବୁକୁ ପଲିଥିନ୍ ଓ କାଗଜରେ ପ୍ୟାକ୍ କରି ରଖାଯାଇଥିଲା ।
ସୂଚନା ମୁତାବକ, କନୌଜରେ ପରଫ୍ୟୁମ୍ ବ୍ୟବସାୟ କରୁଥିବା ପୀୟୁଷଙ୍କ କାନପୁର ସ୍ଥିତ ବାସଭବନରେ ରେଡ୍ କରିଥିଲେ ଉଭୟ ଡିଜିଜିଆଇ ଓ ଆୟକର ବିଭାଗ । ଏହି ସମୟରେ ତାଙ୍କ ଘରୁ ମିଳିଥିଲା ଟଙ୍କାର ଭଣ୍ଡାର । ପ୍ରକୃତରେ ପ୍ରଥମେ ରେଡ୍ ଆରମ୍ଭ କରିଥିଲା ଡିଜିଜିଆଇ (ଜିଏସଟି ଇଣ୍ଟଲଜେନ୍ସି ମହାନିର୍ଦ୍ଦେଶାଳୟ) ।ହେଲେ ଏତେ ପରିମାଣ ଟଙ୍କା ମିଳିବା ପରେ ଆୟକର ବିଭାଗ ଚଢଉ କରିଥିଲା । ଏତେ ଟଙ୍କା ମିଳିଲା ଯେ, ବାଧ୍ୟ ହୋଇ ବିଭାଗୀୟ ଅଧିକାରୀ ଟଙ୍କା ଗଣିବା ପାଇଁ ଗୋଟେ ଦୁଇଟି ନୁହେଁ ୧୩ଟି ମେସିନ ମଗାଇଲେ । ତେବେ ଏତିକି ନୁହେଁ ପୀୟୁଷଙ୍କ ଏକାଧିକ ବ୍ୟବସାୟୀକ ଅନୁଷ୍ଠାନ ଉପରେ ଏବେ ଆୟକରର ନଜର ।