ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ବସିଲା କଙ୍ଗାରୁ କୋର୍ଟ। କଙ୍ଗାରୁ କୋର୍ଟ ନିଷ୍ପତ୍ତି ଅନୁଯାୟୀ ଅଭିଯୁକ୍ତ ପୀଡ଼ିତାଙ୍କୁ ଅଢ଼େଇ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହୋଇଥିଲା ନିଷ୍ପତି | କିନ୍ତୁ ଅଭିଯୁକ୍ତ ମାତ୍ର ୧୦ହଜାର ଟଙ୍କା ପୀଡ଼ିତାଙ୍କୁ ଦେଇଥିଲା | ଇତିମଧ୍ୟରେ ପୀଡ଼ିତା ଜଣଙ୍କ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ନବଜାତ ଶିଶୁକୁ ବିକ୍ରି କରି ଗାଁ କମିଟିକୁ ଜରିମାନା ଟଙ୍କା ପ୍ରଦାନ କରିଥିଲେ ଅଭିଯୁକ୍ତ | ଏପରି ଲଜ୍ଜାଜନକ ଘଟଣା ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଞ୍ଚଳରେ ଘଟିଛି। ଖବରପାଇ କାଲିମେଳା ସିଡିପିଓ ଅର୍ଣ୍ଣପୂନ୍ନା ବୁରୁଦା ଘଟଣାରେ ହସ୍ତକ୍ଷେପ କରିବା ପରେ ଥାନାର ଦ୍ଵାରସ୍ଥ ହୋଇଛନ୍ତି | ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଥାନାରେ ଆଣି ଅଟକ ରଖିଛି ।
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ସୁଧାକୋଣ୍ଡା ଗ୍ରାମର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଜଣେ ବିବାହିତ ବ୍ୟକ୍ତି କରିଥିଲେ ଦୁଷ୍କର୍ମ । ଏମଭି-୭୭ ଗ୍ରାମର ଶ୍ୟାମଳ ସ୍ଵର୍ଣକାର ଉକ୍ତ ଦିବ୍ୟାଙ୍ଗ ଯୁବତୀଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇ ତାଙ୍କ ଘରେ କେହି ନଥିବା ବେଳେ ଘରକୁ ଆସି ଦୁଷ୍କର୍ମ କରିଥିଲା । ଯୁବତୀ ଜଣଙ୍କ କଥା କହି ପାରୁନଥିବାରୁ କାହାକୁ କିଛି କହିପାରି ନଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ବାରମ୍ବାର ତାଙ୍କ ସହ ଦୁଷ୍କର୍ମ କରିଥିଲା । ଶେଷରେ ପୀଡ଼ିତା ଗର୍ଭବତୀ ହୋଇଯିବାରୁ ଗାଁରେ କଥା ପ୍ରଘଟ ହୋଇଥିଲା ।
ଗାଁର ବରିଷ୍ଠ ବ୍ୟକ୍ତି ମାନେ ଗତ ମାସରେ ଏକ କଙ୍ଗାରୁ କୋର୍ଟ ବସାଇଥିଲେ | ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ଅଢ଼େଇ ଲକ୍ଷ ଟଙ୍କା ଦେବାକୁ ଅଭିଯୁକ୍ତକୁ ନିର୍ଦେଶ ଦେଇଥିଲେ | ଅଭିଯୁକ୍ତ ୧୦ହଜାର ଟଙ୍କା ଦେଇଥିବା ବେଳେ ବଳକା ଟଙ୍କା ଦେବାକୁ ସମୟ ମାଗିଥିଲା। ଇତି ମଧ୍ୟରେ ପୀଡ଼ିତା ଜଣଙ୍କ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ପୀଡ଼ିତାଙ୍କୁ ନିଜେ ଅଭିଯୁକ୍ତ ଏକ ଘରୋଇ କ୍ଲିନିକ୍କୁ ନେଇ ସେଠାରେ ପୀଡ଼ିତାଙ୍କ ପ୍ରସବ କରାଇଥିଲା | ଜରିମାନା ଟଙ୍କା ଦେଇ ନଥିବାରୁ ନବଜାତ ଶିଶୁକୁ ବିକ୍ରି କରି ଟଙ୍କା ଦେବ ବୋଲି ନିଷ୍ପତ୍ତି ନେଇଥିଲା ଅଭିଯୁକ୍ତ | ଶେଷରେ ଗ୍ରାହକ ଯୋଗାଡ଼ କରି ମାସର ଶିଶୁପୁତ୍ରକୁ ଲକ୍ଷେ ଟଙ୍କାରେ ବିକ୍ରି କରି ଦେଇଥିଲା । ମିଳିଥିବା ଟଙ୍କାକୁ ଗାଁ କମିଟିକୁ ପ୍ରଦାନ କରି ବାକି ଟଙ୍କା ପାଇଁ ପୁଣି ସମୟ ମାଗିଥିଲା | ଅନ୍ୟପକ୍ଷରେ ପୀଡ଼ିତା ଜଣଙ୍କ ନିଜ ପୁତ୍ରକୁ ନିଜଠାରୁ ଦୂରେଇ ଦୁଖରେ ଭାଙ୍ଗି ପଡିଛନ୍ତି |