ମହାତ୍ମା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଅଶ୍ଳୀଳ ମନ୍ତବ୍ୟ ଦେବା ପଡିଲା ମହଙ୍ଗା । ବନ୍ଧା ହେଲେ ବିବାଦୀୟ ସନ୍ଥ କାଳୀଚରଣ ମହାରାଜା । ଛତିଶଗଡ଼ ପୋଲିସ୍ କାଳୀଚରଣଙ୍କୁ ମଧ୍ୟପ୍ରଦେଶର ଖଜୁରାହୋରୁ ଗିରଫ କରିଛି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କ ନାମରେ ଅନେକ ଜାଗାରେ ମାମଲା ରୁଜୁ କରାଯାଇଥିଲା । କାଳୀଚରଣକୁ ଗିରଫ କରିବା ପାଇଁ ପୋଲିସ୍ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରିଥିଲା । ଏହି କ୍ରମରେ ଅନେକ ସ୍ଥାନରେ ଚଢ଼ାଉ ମଧ୍ୟ କରାଯାଇଛି । ଏହାରି ଭିତରେ ବିଶେଷ ସୂଚନା ଆଧାରରେ କାଳୀଚରଣ ମହାରାଜା ଖଜୁରାହୋର ଏକ ହୋଟେଲରେ ଥିବା ଖବର ମିଳିଥିଲା ଓ ସେ ନିଜର ମୋବାଇଲ ବନ୍ଦ କରି ରଖିଥିଲେ । ଏହାପରେ ରାୟପୁର ପୋଲିସ୍ ସୂଚନା ଆଧାରରେ ହୋଟେଲ ଉପରେ ଚଢ଼ାଉ କରି ତାଙ୍କୁ ସେଠାରୁ ଗିରଫ କରିଥିଲା ।
ସୂଚନା ମୁତାବକ, ଗତ କିଛି ଦିନ ତଳେ କାଳୀଚରଣ ମହାରାଜ ଛତିଶଗଡର ରାୟପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମହାତ୍ମା ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିଲେ। ସେ ମହାତ୍ମା ଗାନ୍ଧିଙ୍କୁ ଅପମାନିତ କରିବାର ସହ ତାଙ୍କୁ ହତ୍ୟା କରିଥିବା ନାଥୁରାମ ଗଡସେକୁ ପ୍ରଶଂସା କରିଥିଲେ।