ଭୁବନେଶ୍ୱର(ଏନଏନଏସ୍): ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଥଣ୍ଡା ପାଗ ଅନୁଭୂତ ହେବା ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । କିଛି ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବାର ମଧ୍ୟ ଆକଳନ କରିଛି ପାଣିପାଗ ବିଭାଗ । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଆଦି ଅଞ୍ଚଳରେ ପବନର ବେଗ ଅଧିକା ରହିବା ସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ।
ସେହିଭଳି କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର ଓ ନୟାଗଡ଼ ଆଦି ଜିଲ୍ଲାର କେତେକ ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ରାଜଧାନୀ ଭୁବନେଶ୍ୱରରେ ପାଗ ଆଂଶିକ ମେଘୁଆ ରହିଥିବା ବେଳେ ଅପରାହ୍ନରେ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ୩୦ ତାରିଖ ଆଡକୁ ରାଜ୍ୟରେ ତାପମାତ୍ରା ଓ ପାଗରେ ପରିବର୍ତ୍ତନର ସମ୍ଭାବନା ରହିଛି ।