ଅଶାନ୍ତ ହୋଇପଡିଛି ଢ଼ିଙ୍କିଆ । ପ୍ରସ୍ତାବିତ ଜେଏସ୍ ଡବ୍ଲ୍ୟୁ ପ୍ରକଳ୍ପକୁ ବିରୋଧ କରି ଆଜି ଢିଙ୍କିଆ ଗ୍ରାମବାସୀଙ୍କ ପକ୍ଷରୁ ଠେଙ୍ଗା ଧରି ପ୍ରତିବାଦ କରାଯାଇଛି। ଦୀର୍ଘ ମାସେ ହେବ ପୋଲିସର ଜୁଲମ ପ୍ରତିବାଦରେ ଢିଙ୍କିଆ ପ୍ରକଳ୍ପ ବିରୋଧୀଙ୍କ ଆନ୍ଦୋଳନ ଆଜି ଉଗ୍ରରୂପ ନେଇଛି। ଗାଁର ହଜାର ହଜାର ଲୋକ ପ୍ରତିବାଦରେ ସାମିଲ ହୋଇ ଠେଙ୍ଗା ଧରି, ପୋଲିସକୁ ମାରି ଗାଁରୁ ବିତାଡିତ କରିବାକୁ ବାହାରିଛନ୍ତି। ଏହି ଆନ୍ଦୋଳନରେ ସଂଯୁକ୍ତ କିଶାନ ମୋର୍ଚ୍ଚା ସହ ଏକାଧିକ ସଂଗଠନ ସାମିଲ ହୋଇ ସମର୍ଥନ କରିଛନ୍ତି। ଗୋଟିଏ ପଟେ ଗାଁର ପୁରୁଷମାନେ ଠେଙ୍ଗା ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ମହିଳାମାନେ ଗାଁର ପ୍ରତ୍ୟେକ ପ୍ରବେଶ ପଥକୁ ଜଗି ରହିଛନ୍ତି। ଏହି ଆନ୍ଦୋଳନ ବିଶ୍ବରେ ହଇଚଇ ସୃଷ୍ଟି କରିବ ବୋଲି ପ୍ରକଳ୍ପ ବିରୋଧୀ ନେତା ଦେବେନ୍ଦ୍ର ସ୍ବାଇଁ ପ୍ରକାଶ କରିଛନ୍ତି। ଆଜି ଢ଼ିଙ୍କିଆ ଫୁଲଖାଇ ମନ୍ଦିରରେ ଗ୍ରାମବାସୀଙ୍କ ବୈଠକରେ ସଂଯୁକ୍ତ କିଶାନ ମୋର୍ଚ୍ଚାର ସୁରେଶ ପାଣିଗ୍ରାହୀ, ପ୍ରଫୁଲ୍ଲ ସାମନ୍ତରା, ପ୍ରମିଳା ବେହେରା ପ୍ରମୁଖ ଏକ ପ୍ରତିନିଧି ଦଳ ଯୋଗ ଦେବା ସହିତ ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ ଓ ଆମ୍ ଆଦମୀ ପାର୍ଟିର ନେତା ମଧ୍ୟ ଯୋଗ ଦେଇଥିଲେ। ଏହି ନେତୃ ମଣ୍ଡଳୀ, କମ୍ପାନୀ ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ଦମନଲୀଳାକୁ ନିନ୍ଦା କରିଥିଲେ। ପରେ ଶତାଧିକ ଗ୍ରାମବାସୀ ଓ ଛୋଟ ପିଲା ଏକ ରାଲି କରି ଜେଏସଡବ୍ଲ୍ୟୁ କମ୍ପାନୀର ଭୋସକାଲିସ ପଏଣ୍ଟ ସ୍ଥିତ ଅସ୍ଥାୟୀ କ୍ୟାମ୍ପ ନିକଟକୁ ଯାଇଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସଂଯୁକ୍ତ କିଶାନ ମୋର୍ଚ୍ଚାର ଏକ ପ୍ରତନିଧି ଦଳ ଏରସମା ତହସିଲଦାର ଓ ପାରାଦ୍ଵୀପ ଅତିରିକ୍ତ ଏସପିଙ୍କ ସହିତ ଆଲୋଚନା କରି ଢ଼ିଙ୍କିଆର ପ୍ରବେଶ ପଥରେ ଥିବା ପୋଲିସ କ୍ୟାମ୍ପକୁ ହଟାଇବା ସହିତ ଜବରଦସ୍ତ ପାନବରଜ ନ ଭାଙ୍ଗିବା ପାଇଁ ଅନୁରୋଧ କରିଥିଲେ। ତେବେ ପୋଲିସ ଓ ଜିଲ୍ଲା ପ୍ରଶାସନ କୈାଣସି ବଳ ପ୍ରୟୋଗ କରିନାହିଁ କିମ୍ବା ଜୋର ଜବରଦସ୍ତି ବରଜ ଭଙ୍ଗା ଯାଉନାହିଁ ବୋଲି ପ୍ରକାଶ କରିଛନ୍ତି।