ପାକିସ୍ତାନର ପ୍ରତିଷ୍ଠାତା ତଥା ମୁସଲିମ ଲିଗର ନେତା ମହମ୍ମଦ ଅଲି ଜିନ୍ନାଙ୍କ ନାମକୁ ନେଇ ସବୁବେଳେ ବିବାଦ ଦେଖାଦେଇଛି | ଅନେକ ସମୟରେ ନେତାମାନେ ବି ଜିନ୍ନାଙ୍କୁ ନେଇ ରାଜନୀତି କରିଥାନ୍ତି | ହେଲେ ଏହାରି ମଧ୍ୟରେ ଜିନ୍ନାଙ୍କୁ ନେଇ ପୁଣି ଏକ ନୂଆ ବିବାଦ ଦେଖିବାକୁ ମିଳିଛି । ଜିନ୍ନା ଟାୱାରର ନାମକୁ ନେଇ ସର୍ବଦା ବିବାଦ ଲାଗି ରହୁଥିବା ବେଳେ ଏବେ ଟାୱାରର ରଙ୍ଗକୁ ନେଇ ନୂଆ ବିବାଦ ଦେଖିବାକୁ ମିଳିଛି । ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଥିବା ଜିନ୍ନା ଟାୱାରକୁ ତ୍ରିରଙ୍ଗା ଆକାରରେ ରଙ୍ଗ ଦିଆଯାଇଛି | ଖୁବ୍ ଶୀଘ୍ର ଏହା ଉପରେ ଜାତୀୟ ପତାକା ଉତ୍ତୋଳନ କରାଯିବ ବୋଲି କୁହାଯାଉଛି । ଜାନୁଆରୀ 26ରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ କିଛି ଲୋକ ଜିନ୍ନା ଟାୱାରରେ ପ୍ରବେଶ କରିଥିଲେ। ଏହା ପରାଠାରୁ ଜିନ୍ନା ଟାୱାରକୁ ନେଇ ବିବାଦ ଲାଗିରହିଛି | ଗୁଣ୍ଟୁର ବିଧାୟକ ମହମ୍ମଦ ମୁସ୍ତାଫା ଟାୱାରରେ ରଙ୍ଗ କରିଛନ୍ତି | ଏହି ବିବାଦ ଉପରେ ବିଧାୟକ ମହମ୍ମଦ ମୁସ୍ତାଫା କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମ ସମୟରେ ମୁସଲମାନ ନେତାମାନେ ବ୍ରିଟିଶଙ୍କ ବିରୋଧରେ ଲଢ଼ିଛନ୍ତି। ସ୍ୱାଧୀନତା ପରେ କିଛି ମୁସଲମାନ ଭାରତ ଛାଡି ପାକିସ୍ତାନରେ ବସବାସ କଲେ। କିନ୍ତୁ ଆମେ ଭାରତୀୟ ଭାବରେ ଆମ ଦେଶରେ ରହିବାକୁ ଚାହୁଁଥିଲୁ ଏବଂ ଆମେ ଆମର ମାତୃଭୂମିକୁ ଭଲପାଉ ବୋଲି ମୁସ୍ତଫା କହିଛନ୍ତି |