କିଛି କରି ଦେଖାଇବାର ସ୍ୱପ୍ନ ଆଗରେ ହାର ମାନିଛି ସବୁକିଛି । ପାଠପଢା ସାଙ୍ଗକୁ ଘରୁ ଓ ବାହାରୁ ଅଦରକାରୀ ଜିନିଷ ସଂଗ୍ରହ କରି ସେଥିରୁ ବିଭିର୍ନ ଡିଜାଇନର ଝୁମର ଲାଇଟ , ଖେଳଣା ଓ କାଗଜ ଡଙ୍ଗା ତିଆରି କରି ବେଶ ଚର୍ଚ୍ଚାରେ ଅଛନ୍ତି ଯୁବକ । ଏପରି ଜଣେ ଦୃଢ଼ ଇଛାଶକ୍ତି ଧାରୀ ପିଲା ହେଉଛନ୍ତି ଚୌଦ୍ଵାରର ସମ୍ବିତ କେଶରୀ ସାହୁ । ତାଙ୍କ ଘର ଚୌଦ୍ଵାର ଓଟିଏମ୍ କଲୋନୀ ୭ ନମ୍ବର ୱାର୍ଡରେ । ସମ୍ବିତ ଆଇଟିଆଇ ଡିପ୍ଲୋମା ପଢ଼ୁଥିବାବେଳେ ଘରେ ବିଭିନ୍ନ ବର୍ଜ୍ୟବସ୍ତୁକୁ ନେଇ ଖେଳନା , ଝୁମର ଲାଇଟ ତିଆରି କରୁଥିଲେ । ଆଗକୁ କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ଏବେ ସେ ରଙ୍ଗବେରଙ୍ଗୀ କାଗଜ ଡଙ୍ଗା ତିଆରି କରିବାରେ ବ୍ୟସ୍ତ । କରୋନା କଟକଣାରେ ପାଠପଢ଼ା ସାଙ୍ଗକୁ ନିଜର ଦକ୍ଷତାକୁ ପ୍ରତିପାଦିତ କରିବା ସହ କିଛି ଅର୍ଥ ରୋଜଗାର କରିବା ଉଦେଶ୍ୟରେ ସମ୍ବିତ ଆରମ୍ଭ କଲେ ଡଙ୍ଗା ତିଆରି କାମ । ତାଙ୍କ ଦ୍ୱାରା ନିର୍ମିତ ଡଙ୍ଗାଗୁଡିକ ବହୁତ ସୁନ୍ଦର ଓ କମ ପଇସା ହୋଇଥିବାରୁ ବଜାରରେ ତାର ବେଶ ଚାହିଦା ରହିଥିବା ଦେଖିବାକୁ ମିଳିଛି । ସମ୍ବିତଙ୍କ ଏହି ନିଆରା କାମରେ ତାଙ୍କ ବାପା ,ମାଙ୍କ ସହିତ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।