ଝାରସୁଗୁଡ଼ା,୦୮.୦୪.୨୦୨୩ (ଏନଏନଏସ ଓଡ଼ିଆ) : ଉପନିର୍ବାଚନପାଇଁ ଚଳଚଞ୍ଚଳ ହେଲାଣି ଝାରସୁଗୁଡା । ଡେରା ପକାଇଲେଣି ବିଜେଡି ନେତା । ଶାସକ ଦଳ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେଠାରେ ଭିଡ ଲଗାଇଲେଣି ହେଭିୱେଟ। ପ୍ରାର୍ଥୀ ଦୀପାଳି ଦାସ ବି ପ୍ରଚାର ଆରମ୍ଭ କରିଦେଲେଣି । ହେଲେ କାର୍ଡ ଖୋଲିନାହାନ୍ତି ବିରୋଧୀ ବିଜେପି କି କଂଗ୍ରେସ । ଆଉ ଦୁଇ ଦଳର ପ୍ରାର୍ଥୀ କିଏ ହେବ ତାକୁ ନେଇ ସଭିଙ୍କ ନଜର ରହିଛି । ସେପଟେ ଶାସକ ଦଳ କହିଛି ଝାରସୁଗୁଡା ପୁଣିଥରେ ବିଜେଡିର ହେବ। ହେଲେ ବିଜେପି କହିଛି ବାଜି ପଲଟିବ ।
ତେବେ ଉପନିର୍ବାଚନକୁ ନେଇ ଗ୍ରାଉଣ୍ଡରେ ଜିତିବାର ଯୋଜନା କଲେଣି ବିଜେଡି ପର୍ଯ୍ୟବେକ୍ଷକ ଦେବୀପ୍ରାସଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ ଓ ସାରଦା ନାୟକ। ଏପଟେ ଦୀପାଳି ଦାସଙ୍କୁ ବିଭିନ୍ନ ଫୋରମରେ ଲୋକଙ୍କ ସହ ଯୋଡି ହେଉଥିବାର ଦେଖିବାକୁ ମିଳୁଛି ।କୁହାଯାଉଛି ଦିପାଳୀଙ୍କୁ ଟିକେଟ ଦେଇ ଅନୁକମ୍ପା ସହ ମହିଳା କାର୍ଡ ଖେଳିଛି ବିଜେଡି । ସେପଟେ ବିଜେପି ଟିକେଟ ଆଶାୟୀ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ କହିଛନ୍ତି ଭୟରେ ଆଗୁଆ ପ୍ରାର୍ଥୀ ଘୋଷଣା କରିଛି ଶାସକ ଦଳ। ହେଲେ କିଛି ଲାଭ ହେବନି ବରଂ ଏଥର ପରିବର୍ତ୍ତନ ନିଶ୍ଚୟ ହେବ ।ସେପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ୬ ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦେଇଥିବା ବେଳେ ତିନି ଜଣଙ୍କ ନା ସୁପାରିସ କରାଯାଇଛି। ଦିଲ୍ଲୀରୁ ଯାହା ନାମ ଆସିବ ତାଙ୍କୁ ସମର୍ଥନ କରାଯିବ। ସେପଟେ ଟିକେଟ ଆଶାୟୀ ତଥା କଂଗ୍ରେସ ଜିଲ୍ଲା ସଭାପତି ଅଶୋକ ମିଶ୍ର କହିଛନ୍ତି ବେକାରୀ ସମସ୍ୟାକୁ ପ୍ରମୁଖ ପ୍ରସଂଗ କରିବ ଦଳ। ସେପଟେ କଳିଙ୍ଗ ସେନା ମହେନ୍ଦ୍ର ପଟ୍ଟନାୟକଙ୍କୁ ଝାରସୁଗୁଡା ପ୍ରାର୍ଥୀ କରିଛି।