ଏବେ ସବୁଠି ଚର୍ଚ୍ଚାରେ ରହିଛି ରସଗୋଲା । ଆଉ ଚର୍ଚ୍ଚାରେ ଓଡ଼ିଆ ଝିଅ ସ୍ଥିତିପଦ୍ମା । ଜାତୀୟ ଟେଲିଭିଜନରେ ପ୍ରସାରିତ ରିଆଲିଟି ସୋ ସାରେଗାମାପା ମଞ୍ଚରେ ଓଡ଼ିଆ ଝିଅ ସ୍ଥିତିପଦ୍ମାଙ୍କ ଉତ୍ତରକୁ ନେଇ ସବୁଠି ଜୋରଦାର ଚର୍ଚ୍ଚା । ରସଗୋଲ୍ଲା କାହାର ବୋଲି ତାଙ୍କୁ ପ୍ରଶ୍ନ ପଚାରିଥିଲେ ଜଜ୍ । ଯାହାର ଉତ୍ତରରେ ସେ କହିଥିଲେ ‘ଜୟ ଜଗନ୍ନାଥ, ରସଗୋଲା ଆମର’ । ଆଉ ତାଙ୍କର ସେହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ତେବେ ପୂରା ଘଟଣାଟି ହେଉଛି ଗତ ସେପ୍ଟେମ୍ବର ମାସ ଶେଷ ସପ୍ତାହର ଘଟଣା। ସାରେଗାମାପା ରିଅଲିଟି ସୋ ନିମନ୍ତେ ମୁମ୍ବଇରେ ଅଡିସନ୍ ହେଉଥିଲା। ଏଥିରେ ବିଚାରକ ଭାବେ ବସିଥିଲେ ହିମେଶ ରେସମିୟା, ବିଶାଲ ଦଦଲାନି ଓ ଶଙ୍କର ମହାଦେବନ୍। ଯେଉଁ ପ୍ରତିଯୋଗୀ ପଶ୍ଚିମବଙ୍ଗରୁ ଆସିଥାନ୍ତି, ସମସ୍ତଙ୍କୁ ହିମେଶ ପ୍ରଥମେ ଗୋଟିଏ ପ୍ରଶ୍ନ ହିଁ ପଚାରୁଥିଲେ, ରସଗୁଲା କିସିକା ହେ! ଓଡ଼ିଶାକା ୟା କୋଲକାତା କା? ପଶ୍ଚିମବଙ୍ଗର ପ୍ରତିଯୋଗୀମାନେ ରସଗୋଲା ସେମାନଙ୍କର ବୋଲି ଦୃଢ଼୍ୟୋକ୍ତିର ସହ କହୁଥିଲେ। ତେବେ ଏହି କ୍ରମରେ ମଞ୍ଚକୁ ଆସିଥିଲେ କଟକର ଝିଅ ସ୍ଥିତିପଦ୍ମା। ସେ କଟକରୁ ଆସିଛନ୍ତି ବୋଲି ଜଣାପଡ଼ିବା ପରେ ବିଶାଲ ଓ ଶଙ୍କର ହିମେସଙ୍କୁ ମନେପକାଇ ଦେଇଥିଲେ ପୁରୁଣା ପ୍ରଶ୍ନଟି। ହିମେସ ପୁଣି ସମାନ ପ୍ରଶ୍ନ ଦୋହରାଇଥିଲେ। ଏହାର ଉତ୍ତରରେ ସ୍ଥିତିପଦ୍ମା କହିଥିଲେ ଯେ, ଜୟ ଜଗନ୍ନାଥ ରସଗୋଲା ଆମର। ରସଗୋଲା କୋଲକାତାର ହୋଇପାରେ, ହେଲେ ରସଗୋଲା କେବଳ ଓଡ଼ିଶାର। ଯେଉଁମାନେ ଏଥିରେ ଯୁକ୍ତି କରୁଛନ୍ତି ସେମାନଙ୍କୁ କୌଣସି ଉତ୍ତର ଦେବାର ନାହିଁ ବୋଲି ରୋକଠୋକ ଭାବେ ଜବାବ ରଖିଥିଲେ ସ୍ଥିତିପଦ୍ମା। ଏହାର ଭିଡ଼ିଓ କ୍ଲିପ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
https://youtu.be/4KPQVCRCGns