ଦୀର୍ଘ ଦୁଇବର୍ଷ ପରେ ଆରମ୍ଭ ହେଲା ଜନ ଅଭିଯୋଗ ଶୁଣାଣି । କୋଭିଡ କାରଣରୁ ବନ୍ଦ ରହିଥିବା ଜନଶୁଣାଣୀକୁ ରାଜ୍ୟ ସରକାର ପୁଣି ଥରେ ଆରମ୍ଭ କରିଛନ୍ତି | ଆଜି ମାସର ପ୍ରଥମ ସୋମବାର କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ହୋଇଥିଲା ଜନଶୁଣାଣୀ କାର୍ଯ୍ୟକ୍ରମ । କିନ୍ତୁ ଜନଶୁଣାଣୀରେ ଜିଲ୍ଲାପାଳ ଓ ଏସପି ବିଳମ୍ବରେ ପହଂଚିଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି |
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ଚାଲିଛି ସରକାରୀ କାର୍ଯ୍ୟାଳୟ | ସକାଳ ୭ରୁ ଦିନ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଜନ ଅଭିଯୋଗ ଶୁଣାଣୀ | ହେଲେ ଜିଲ୍ଲାପାଳ ୧୦.୦୫ରେ କାର୍ଯ୍ୟକ୍ରମରେ ପହଞ୍ଚି ଥିବା ବେଳେ ଏସପି ୧୦.୨୦ରେ ଆସି ପହଞ୍ଚିଥିଲେ | ଯାହାକି ବାସ୍ତବିକ ବ୍ୟବସ୍ଥା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଆଇନଜୀବି ରାମାନିରଞ୍ଜନ ରାଉତରାୟ |
ଅନ୍ୟପକ୍ଷରେ ବ୍ୟାପକ ପ୍ରଚାର ପ୍ରସାର ଅଭାବରୁ ଅନେକ ଲୋକ ଏହି କାର୍ଯ୍ୟକ୍ରମରୁ ବଞ୍ଚିତ ହୋଇଛନ୍ତି। ଆଉ କିଛି ଲୋକ ଆସିଥିଲେ ହେଁ ଜିଲ୍ଲାପାଳ ଓ ଏସପିଙ୍କୁ ନପାଇ ବାଧ୍ୟହୋଇ ଉପସ୍ଥିତ ଥିବା ଅନ୍ୟ ଅଧିକାରୀଙ୍କୁ ସେମାନଙ୍କ ଅଭିଯୋଗପତ୍ର ଦେବା ସାର ହୋଇଛି। ଏକ ଜମିଜମା ସମ୍ବନ୍ଧୀୟ ମାମଲାରେ ମହାକାଳପଡ଼ା ତହସିଲଦାର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ନେଇ ଆସିଥିବା ପିତାପୁତ୍ର ସକାଳ ୬ରୁ ଦିନ ୧୦ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ସୁଦ୍ଧା ଜିଲ୍ଲାପାଳଙ୍କ ଭେଟ ନପାଇ ନିରାଶ ହୋଇଛନ୍ତି । ଆଜି ମୋଟ ୬୦ଟି ଅଭିଯୋଗ ହୋଇଛି | ଏଗୁଡିକର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବା ପାଇଁ ଦାବି ହୋଇଛି | ଅଭିଯୋଗ ଶୁଣାଣିରେ ଅବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳଙ୍କୁ ପଚରା ଯିବାରୁ ଜିଲ୍ଲାର ୯ଟି ବ୍ଲକରେ ଚାଲିଥିବା ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ତଦାରଖ କରୁଥିବାରୁ ଏଠାକୁ ଆସିବାରେ ବିଳମ୍ବ ହୋଇଛି ବୋଲି କହିଛନ୍ତି।